(କୋରାପୁଟ) : କାର୍ତିକ ମାସ ପାଇଁ ପାରିବ ସଙ୍ଗେ ବଢ଼ିବାରେ ଲାଗିଛି ଅଦା ଦର । ତେବେ କୋରାପୁଟ ଜିଲ୍ଲାରେ ଅଦା ଅମଳ ଶେଷ ହୋଇନି। ଏପଟେ ବଜାରରୁ କିଲୋ ପିଛା ଦର ୨୯୦ଟଙ୍କା ରହିଛି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଧର୍ମମାସ କାର୍ତ୍ତିକ ଆରମ୍ଭରୁ ଅଦା ଦର ୩ଶହ ଟଙ୍କା ପାଖାପାଖି ରହିଥିବା ବେଳେ ପଞ୍ଚୁକ ବେଳକୁ ଦର ୩ଶହ ଟଙ୍କା ଟପି ସାରିଥିବା ବୋଲି କୁହାଯାଉଛି।
ସୂଚନାନୁଯାୟୀ , ଏବେ ବଜାରରେ ଗତ ଖରିଫ ଋତୁର ବଳକା ଅଦା ମହଜୁଦ ରହିଛି। ଯାହା ଆଉ କିଛି ଦିନ କିମ୍ବା ଆସନ୍ତା ମାସ ବେଳକୁ ଶେଷ ହୋଇଯିବ। ସେହିପରି ଆଗକୁ ଅମଳ ହେବାକୁ ଥିବା ଅଦା ଉପରେ ପଡ଼ୋଶୀ ରାଜ୍ୟର ବେପାରୀ ଆଖି ରଖିଛନ୍ତି। ଗାଁ ଗାଁ ବୁଲି ଅଦା ଚାଷୀଙ୍କ ସହ ମୂଲଚାଲ ଆରମ୍ଭ କରିସାରିଲେଣି। ଯଦି ବାହାର ବ୍ୟବସାୟୀଙ୍କ କଥାରେ ଚାଷୀ ରାଜି ହୋଇଯିବେ ତେବେ ଚାଷୀ ଉଚିତ ମୂଲ୍ୟ ପାଇବେ ନାହିଁ କିନ୍ତୁ ଖାଉଟିଙ୍କୁ ଦର ବାଧିବା ନିଶ୍ଚିତ।
