(ପୁରୀ) : ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଛି କଳାଜିରା ଚାଉଳ । କୋରାପୁଟରୁ ଆସିଥିବା କଳାଜିରା ଚାଉଳ ଶୁକ୍ରବାର ଦିନ ପୁରୀରେ ଆସି ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନର ଦାନ ପ୍ରକୋଷ୍ଠରେ ଏକ କ୍ୱିଣ୍ଟାଲ କଳାଜିରା ଚାଉଳ ସହ ନଡ଼ିଆ, କଞ୍ଚା କଦଳୀ ମଧ୍ୟ ଶ୍ରୀମନ୍ଦିର ଦାନ ପ୍ରକୋଷ୍ଠରେ ସମର୍ପଣ କରାଯାଇଛି । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି କୋରାପୁଟ ଜିଲ୍ଲାର କଲାଜିରା ଚାଉଳ ।
ସୂଚନାନୁଯାୟୀ , ୧୨ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀରେ ପହଞ୍ଚିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ କଳାଜିରା ଚାଉଳକୁ ଜିଆଇଟ୍ୟାଗର ମାନ୍ୟତା ମିଳିଛି । ସୁଗନ୍ଧିତ ଧାନରେ ପ୍ରସ୍ତୁତ ଏହି କଳାଜିରା ଚାଉଳର ବହୁତ୍ ଭଲ ବାସ୍ନା ମଧ୍ୟ ରହିଛି । ଏହି ଚାଉଳ ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିବା ବେଳେ କୋରାପୁଟର ଜୈବକ ଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଏକ ହଜାର ଚାଷୀଙ୍କୁ ଚାଷ କରିବା ପାଇଁ ଏହି କଳାଜିରା ଚାଉଳର ବିହନ ଯୋଗାଇଥିଲା । ଏବେ ଏହାର ଅମଳ ଆସିବା ପରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏହାକୁ ଅର୍ପଣ କରାଯାଇଛି ।
