(ଭୁବନେଶ୍ୱର) : ଆଜି ପବିତ୍ର ବାରୁଣୀ ସ୍ନାନ । ଏଥିଲାଗି ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ଏହା ସହ ପିଣ୍ଡ ପକାଇବା ଲାଗି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ସକାଳ ୬.୦୯ ଠାରୁ ଦିନ ୧୨.୫୭ ମିନିଟ୍ ଯାଏଁ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ପହଞ୍ଚି ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି ।
ସୂଚନାନୁଯାୟୀ , ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ, ତେବେ ଏହାକୁ ବାରୁଣୀଯୋଗ ବୋଲି କୁହାଯାଏ । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣୀ ଯୋଗ ରହିଛି । ବିଶ୍ବାସ ଅଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ସେମାନଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଏହା ସହ ଏହି ଘାଟରେ ବୁଡ ପକାଇଲେ ସମସ୍ତ ପାପ କ୍ଷୟ ହୋଇଥାଏ । ସେନେଇ ଘାଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।