ଓଡିଶା

ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜୋର୍‌ରେ

ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜୋର୍‌ରେ। କାଲିମେଳା ବ୍ଲକ୍ ସ୍ତରୀୟ ଏହି ୩ ଦିନିଆ ଉତ୍ସବ ୨ ଡିସେମ୍ବରରୁ ଆରମ୍ଭ ହୋଇଛି ଏବଂ ଆଜି ଶେଷ ଦିନ। ଦ୍ୱିତୀୟ ଦିନରେ ହିଁ ମହୋତ୍ସବ ପଡ଼ିଆରେ ୫୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ପାଦ ପଡ଼ିବା ସହ ଭିଡ଼ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ଦ୍ୱିତୀୟ ସନ୍ଧ୍ୟାରେ ପପୁଲାର ପ୍ଲେବ୍ୟାକ ସିଙ୍ଗର ସୁଜ୍ଞାନୀ ମହାପାତ୍ରଙ୍କ ମନଲୋଭା ଗୀତ, ଓଲିଉଡ୍‌ର ଆଇଟମ କ୍ୱିନ୍ କୁକିଜ୍ ସ୍ୱାଇଁଙ୍କ ଝାକଝମାଳ ନୃତ୍ୟ ଏବଂ ଜନପ୍ରିୟ କମେଡିୟାନ୍-ୟୁଟ୍ୟୁବର ଅନୁଗୁଳିଆ ବଣ୍ଟିଙ୍କ ହସ୍‌ରସରେ ଦର୍ଶକ ରାତି ତମାମ ମଜା ଉଠାଇଥିଲେ। ଷ୍ଟେଜ୍ ଆଙ୍କର ପୁପିନ୍ଦରଙ୍କ ମଜେଦାର ଉପସ୍ଥାପନା ଶୋ’କୁ ଆହୁରି ରଙ୍ଗୀନ କରିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଲୋକନୃତ୍ୟ ଦଳ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ।

ମେଳା ପଡ଼ିଆରେ ସୁସ୍ୱାଦୁ ଦେଶୀ ଖାଦ୍ୟ, ମିନାବଜାର ଓ ବିଭିନ୍ନ ଦୋକାନ ବୁଲି ଲୋକେ ଶୀତ ସନ୍ଧ୍ୟାରେ ଉଷ୍ଣତା ଉଠାଇଛନ୍ତି। ମାଲକାନଗିରିର ଆଦିବାସୀ ସଂସ୍କୃତି, ପରମ୍ପରା, ଲୋକକଳା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାଧାରଣ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ।

ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ‘‘ମାଲକାନଗିରି ମିତ୍ରତାର ଅଞ୍ଚଳ। ଏଠାକାର ନିରୀହ ଅଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଇଁ ସେବା ଯୋଗାଇବା ଆମର ଲକ୍ଷ୍ୟ। ମାଲ୍ୟବନ୍ତର ପ୍ରଚାର-ପ୍ରସାର ବହୁଳ ହୋଇଛି ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିପାରିଛି।’’ ବିପୁଳ ଭିଡ଼ ଦେଖି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିଛି। ଆଜି ସନ୍ଧ୍ୟାରେ ବାବୁଶାନଙ୍କ ପ୍ରଦର୍ଶନ ସହ ମହୋତ୍ସବର ରଙ୍ଗିନ ସମାପନ ହେବ।

Related posts

ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପାଇଁ ଖୁସି ଖବର

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

mahabharatanews

କୋରାପୁଟ ସରକାରୀ ମହାବିଦ୍ୟାଳୟର ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

mahabharatanews