ଟି ୨୦ ବିଶ୍ବକପ୍ ସେମିରେ ପ୍ରବେଶ କଲା ସାଉଥ୍ ଆଫ୍ରିକା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କାରିବିଆନ ଦଳକୁ ୯ ୱିକେଟରେ ହରାଇ ଆଫ୍ରିକା ସେମିଫାଇନାଲ ରେସ୍ ରେ ନିଜକୁ ଆହୁରି ମଜବୁତ କରିଛି। କେବଳ ଆଫ୍ରିକା ନୁହେଁ ବରଂ ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ମନରେ ମଧ୍ୟ ଖୁସି ଭରିଦେଇଛି, କାରଣ ଏହା ଦ୍ୱାରା ଟିମ୍ ଇଣ୍ଡିଆର ସେମିଫାଇନାଲ ରାସ୍ତା ଅପେକ୍ଷାକୃତ ସହଜ ହୋଇଯାଇଛି।

ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୮୩ ରନ୍ ସ୍କୋର ସୁଦ୍ଧା ୭ଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଜେସନ୍ ହୋଲ୍ଡରଙ୍କ ୪୯ ରନ୍ ଏବଂ ରୋମାରିଓ ଶେଫର୍ଡଙ୍କ ୫୨ ରନ୍ର ଲଢୁଆ ଇନିଂସ ବଳରେ ଦଳ ୧୭୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା ।

୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲା। ଓପନର କ୍ୱିଣ୍ଟନ ଡି’କକ୍ ଓ ଅଧିନାୟକ ଏଡେନ୍ ମାର୍କରମ ପ୍ରଥମ ୱିକେଟ୍ ପାଇଁ ମାତ୍ର ୯ ୱିକେଟରେ ୯୫ ରନ୍ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ଡି’କକ୍ ୨୪ ବଲରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ମାର୍କରମ କ୍ରିଜ୍ରେ ଜମି ରହିଥିଲେ। ସେ ମାତ୍ର ୪୬ ବଲରୁ ୮୨ ରନର ଏକ ଅପରାଜିତ ପାଳି ଖେଳିଥିଲେ। ଏହି ଇନିଂସରେ ତାଙ୍କର ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ମାର୍କରମଙ୍କୁ ରିୟାନ ରିକେଲଟନ ସାଥ୍ ଦେଇଥିଲେ, ଯିଏ କି ୪୫ ରନ୍ କରି ଅପରାଜିତ ରହିଥିଲେ।

