ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଆଜି ହେଉଛି ୧୭୮ତମ ଜୟନ୍ତୀ । ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର । ଏଥିପାଇଁ ଚଳଚଞ୍ଚଳ ଆଜି ତାଙ୍କ ଜନ୍ମ ପରିବେଶ । ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେଉ କିମ୍ବା ଓଡ଼ିଶାର ଅସ୍ମିତା ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା, ଓଡ଼ିଆ ଜାତିର ଅସ୍ତିତ୍ବ ପ୍ରତି ସୃଷ୍ଟି ହୋଇଥିବା ଅନେକ ବିପଦ ସମୟରେ ମଧୁବାବୁ ଚଟାଣ ଭଳି ସାମ୍ନାରେ ରହି ସୁରକ୍ଷା କବଚ ପାଲଟିଥିଲେ। ମଧୁ ବାବୁଙ୍କୁ ଓଡ଼ିଆ ଜାତିର ପିତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଜାତି ଗୋଟିଏ ସମୟରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ପୁଣ୍ୟତିଥି ପାଳନକୁ ବି ଭୁଲି ଯାଇଥିଲା। ଉତ୍କଳ ଗୌରବଙ୍କ ୧୫୦ତମ ଜୟନ୍ତୀ ପରେ ଯାଇ ଏ ଦିଗରେ ବିଧିବଦ୍ଧ ପ୍ରୟାସ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସତେ ଯେମିତି ଜୟନ୍ତୀ ଓ ପୁଣ୍ୟତିଥି ପାଳନରେ ସୀମିତ ରହିଯାଇଛି ଉତ୍କଳ ଗୌରବଙ୍କ ପ୍ରତି ଏ ଜାତିର ଋଣ ପରିଶୋଧ।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି। କଟକ ଗୋରାକବରଠାରେ ମଧୁସୂଦନ ଦାସଙ୍କ ସମାଧି ପୀଠରେ ମଧ୍ୟ ମଧୁବାବୁଙ୍କ ଜନ୍ମଜୟନ୍ତୀଙ୍କୁ ପାଳନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା , ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଛନ୍ତି। ପ୍ରଥମେ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା।
