ଅପରାଧଓଡିଶା

ଶିଶୁ ବାଟିକା ଚାକିରି ନାଁରେ ମହା-ଜାଲିଆତି,ବୁଲୁଛି ଅର୍ଥ ବିଭାଗର ‘ଫେକ୍’ ଚିଠି

ସୋସିଆଲ ମିଡିଆରେ ବୁଲୁଛି ‘ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି’ର ଜାଲ୍ ଚିଠି: ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ସରକାର, ହେବ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ‘ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି’କୁ ନେଇ ଏକ ବଡ଼ ଜାଲିଆତି ସାମ୍ନାକୁ ଆସିଛି। ଓସେପା (OSEPA) ଅଧୀନରେ ହଜାର ହଜାର ଶିକ୍ଷକ ନିଯୁକ୍ତି ସହ ମୋଟା ଅଙ୍କର ଦରମା ମିଳିବା ନେଇ ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ୍ ହେଉଛି। ତେବେ ଏହି ଚିଠିଟି ସମ୍ପୂର୍ଣ୍ଣ ନକଲି ଏବଂ ଜାଲ୍ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ସେତିକି ନୁହେଁ, ଏହି ଜାଲ୍ ଚିଠିକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ଭ୍ରାମକ ଖବର ପ୍ରକାଶ ପାଇଛି, ଯାହା ସାଧାରଣ ଲୋକ ଓ ଚାକିରି ଆଶାୟୀଙ୍କ ମଧ୍ୟରେ ବଡ଼ ବିଭ୍ରାନ୍ତି ସୃଷ୍ଟି କରିଛି।

ସୋସିଆଲ ମିଡିଆରେ ବୁଲୁଥିବା ଅର୍ଥ ବିଭାଗର ପତ୍ର ସଂଖ୍ୟା 10911/F (ତାରିଖ 24.04.2026) ନାମରେ ଏହି ଜାଲ୍ ଚିଠି ପ୍ରସ୍ତୁତ କରାଯାଇଛି। ଏଥିରେ ଦାବି କରାଯାଇଛି ଯେ, ଓସେପା ଅଧୀନରେ ୭,୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି ଏବଂ ପ୍ରତି ଶିକ୍ଷକଙ୍କୁ ମାସିକ ୨୬,୦୦୦ ଟଙ୍କା ଦରମା ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ ଦେଇଛି।

ଏହି ପ୍ରସଙ୍ଗରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବକୁ ଅନୁମୋଦନ କରାଯାଇନାହିଁ। ଭାଇରାଲ୍ ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା ଏବଂ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଅନଧିକୃତ। ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ। ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ ହୋଇଥିବାରୁ, ଏହି ଘଟଣାରେ ସମ୍ପୃକ୍ତ ଜାଲିଆତି କାରୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ରାଜ୍ୟ ସରକାର ସାଧାରଣ ଜନତା ଏବଂ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ବି ସରକାରୀ ପତ୍ରକୁ ବିନା ଯାଞ୍ଚରେ ବିଶ୍ୱାସ କିମ୍ବା ଶେୟାର କରନ୍ତୁ ନାହିଁ। କୌଣସି ବି ସୂଚନା ସରକାରୀ ବିଜ୍ଞପ୍ତି, ଅଫିସିଆଲ୍ ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ।

 

Related posts

ଚଳନ୍ତା ମାଲବାହୀ ଟ୍ରେନ୍‌ରୁ ଅଲଗା ହେଲା ୮ବଗି

mahabharatanews

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଙ୍କୁ ରାଜ୍ୟବାସୀ ପାଳନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

mahabharatanews

କାଳବୈଶାଖୀ ଜନିତ ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews