ଆସନ୍ତା ଅଗଷ୍ଟ ୪ ତାରିଖରେ ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ପୋଲିସ୍ ଡିଜିପି ଶ୍ରୀ ୱାଇ. ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନିର୍ଦ୍ଦେଶକ (ଗୋଇନ୍ଦା) ଶ୍ରୀ ଆର. ପି. କୋଚେ, ଏଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଏଡିଜିପି (ଏସଏପି) ଶ୍ରୀ ରାଜେଶ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡଃ ଦେବଦତ୍ତ ସିଂହ, ପୂର୍ବତଟ ରେଳପଥର ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନର (ପିସିଏସସି) ଶ୍ରୀ ଆଲୋକ ବୋହରା, ଆଇଜିପି (ସେଣ୍ଟ୍ରାଲ ରେଞ୍ଜ) ଶ୍ରୀ ସତ୍ୟଜିତ୍ ନାୟକ ଏବଂ ସିଆଇଡି, ସିବି ଏସପି ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ଯେ, VVIP ସୁରକ୍ଷା ପାଇଁ Blue Bookରେ ନିର୍ଦ୍ଧାରିତ ସମସ୍ତ ନିୟମ ଓ ପ୍ରୋଟୋକଲ୍କୁ କଠୋର ଭାବେ ପାଳନ କରାଯିବ। ବିଭିନ୍ନ ବିଭାଗ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟର ସୁଚାରୁ ସମନ୍ୱୟ ପାଇଁ ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରାଯାଉଛି। ପ୍ରସ୍ତୁତି କ୍ରମରେ, ରାଷ୍ଟ୍ରପତିଙ୍କ ଗସ୍ତ ମାର୍ଗ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ‘ଆଣ୍ଟି-ସାବୋଟାଜ୍’ ଯାଞ୍ଚକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ସମ୍ପୂର୍ଣ୍ଣ ରୁଟ୍ରେ ରେଳ ଟ୍ରାକ୍ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି ଏବଂ ରୁଟ୍ରେ ଥିବା ସମସ୍ତ ଲେଭଲ୍ କ୍ରସିଂରେ ଗସ୍ତ ସମୟସୀମା ଯାଏଁ ସୁରକ୍ଷାକର୍ମୀ ମୁତୟନ ରହିବେ। ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସୁଗମ ପ୍ରବେଶ ପାଇଁ ଡ୍ୟୁଟି ପାସ୍ ଜାରି କରାଯାଉଛି।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଡ୍ରୋନ୍ ନଜର ସହ କାର୍ଯ୍ୟକ୍ରମ ସ୍ଥଳ ଓ ଯାତାୟାତ ରାସ୍ତାରେ କ୍ରମାଗତ କଡ଼ା ଯାଞ୍ଚ କରାଯାଉଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସୁରକ୍ଷିତ, ସୁଚାରୁ ଏବଂ ଗାରିମାମୟ କରିବା ପାଇଁ ପୋଲିସ୍, ରେଳବାଇ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
