ତାମିଲନାଡୁ ବିଧାନସଭାରେ NEET ପରୀକ୍ଷାକୁ ରାଜ୍ୟରୁ ହଟାଇବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ସରକାର ଦୀର୍ଘଦିନ ଧରି NEET ବିରୋଧରେ ନିଜ ଆଭିମୁଖ୍ୟ ରଖିଆସୁଥିବା ବେଳେ, ଏବେ ବିଧାନସଭାରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କେ.ଜି. ଅରୁଣରାଜ ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନା ସମୟରେ NEET ପେପର ଲିକ୍, କୋଚିଂ ଉପରେ ବଢ଼ୁଥିବା ନିର୍ଭରଶୀଳତା ଏବଂ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ଚାପ ଭଳି ପ୍ରସଙ୍ଗ ଉଠାଯାଇଥିଲା।

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, NEET ଯୋଗୁଁ ମେଡିକାଲ୍ ଆଡମିସନ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ପାଠପଢ଼ା ସହିତ କୋଚିଂ ଉପରେ ମଧ୍ୟ ଅଧିକ ନିର୍ଭର କରିବାକୁ ପଡ଼ୁଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀ ଏଥିରେ ପ୍ରଭାବିତ ହେଉଥିବା ରାଜ୍ୟ ସରକାର କହିଛି। ଏହି ପ୍ରସଙ୍ଗରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତାରୁ ରାଜନେତା ହୋଇଥିବା ଥଳପତି ବିଜୟ ମଧ୍ୟ ପୂର୍ବରୁ NEETକୁ ବିରୋଧ କରିଆସିଛନ୍ତି। ତାଙ୍କ ମତରେ, ମେଡିକାଲ୍ ଆଡମିସନ୍ରେ ଦ୍ୱାଦଶ ଶ୍ରେଣୀର ମାର୍କକୁ ଗୁରୁତ୍ୱ ଦିଆଯିବା ଉଚିତ।
ତେବେ ଏହି ପ୍ରସ୍ତାବ ପାରିତ ହେବା ମାତ୍ରେ ତାମିଲନାଡୁରେ NEET ବନ୍ଦ ହୋଇଯିବ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ତରରେ ଆବଶ୍ୟକ ପ୍ରକ୍ରିୟା ଓ ଅନୁମୋଦନର ପ୍ରଶ୍ନ ରହିଛି। ଅନ୍ୟପଟେ, ଏହି ପ୍ରସ୍ତାବକୁ ବିରୋଧ କରି ବିଜେପିର ଏକମାତ୍ର ବିଧାୟକ ବିଧାନସଭାରୁ ୱାକ୍ଆଉଟ୍ କରିଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି।
ତାମିଲନାଡୁରେ NEET ବିରୋଧରେ ପୁଣି ଥରେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ଏବେ ନଜର ରହିଛି କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
