ଦେଶ ବିଦେଶ

ଡିସେମ୍ବରରେ ବାଂଲାଦେଶ ଫେରିବେ ଶେଖ୍ ହସିନା!

ବାଂଲାଦେଶ ରାଜନୀତିରେ ପୁଣି ହଲଚଲ୍‌। ଆସନ୍ତା ଡିସେମ୍ବରରେ ସ୍ୱଦେଶ ଫେରିବାକୁ ଦୃଢ଼ ସଂକଳ୍ପ ଦୋହରାଇଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍‌ର ଶୀର୍ଷ ନେତ୍ରୀ ଶେଖ୍ ହସିନା। ଗିରଫ କିମ୍ବା ହତ୍ୟାର ଭୟ ତାଙ୍କୁ ସ୍ୱଦେଶ ଫେରିବା ନିଷ୍ପତ୍ତିରୁ ଓହରାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ଭାରତରେ ରହୁଥିବା ହସିନା ୱାଶିଂଟନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ଏହି ଘୋଷଣା କରିଥିବା ଖବର ଆସିଛି।

୭୯ ବର୍ଷୀୟା ହସିନା କହିଛନ୍ତି, ସମର୍ଥକଙ୍କ ପାଖକୁ ଫେରିବା ତାଙ୍କର ରାଜନୈତିକ ଦାୟିତ୍ୱ। ତେବେ ସେ କେଉଁ ତାରିଖରେ ବାଂଲାଦେଶ ଫେରିବେ, ତାହା ପରେ ସ୍ପଷ୍ଟ କରାଯିବ ବୋଲି ତାଙ୍କ ପୁଅ ସଜିବ୍ ୱାଜେଦ୍ ଜୟ କହିଛନ୍ତି। ସଙ୍କଟ ସମୟରେ ଆଶ୍ରୟ ଦେଇଥିବାରୁ ହସିନା ଭାରତ ସରକାର ଓ ଦେଶର ବିଭିନ୍ନ ରାଜନୈତିକ ଦଳ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ଏହା ସହ ବାଂଲାଦେଶର ବର୍ତ୍ତମାନର ତାରିକ୍ ରହମାନଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ରାଜନୈତିକ ପ୍ରତିଶୋଧ ଓ ମିଥ୍ୟା ମାମଲା ଜରିଆରେ ବିରୋଧୀଙ୍କୁ ଦବାଇବାର ଅଭିଯୋଗ ଆଣିଛନ୍ତି ସେ। ଦେଶରେ ସ୍ୱାଧୀନ, ନିରପେକ୍ଷ ଓ ଗଣତାନ୍ତ୍ରିକ ନିର୍ବାଚନ କରାଇବାକୁ ମଧ୍ୟ ଦାବି କରିଛନ୍ତି।

ହସିନାଙ୍କ କହିବା ଅନୁଯାୟୀ, ବାଂଲାଦେଶର ଭବିଷ୍ୟତ ପ୍ରତିଶୋଧ ନୁହେଁ, ବରଂ ପୁନର୍ମିଳନ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆଧାରିତ ହେବା ଉଚିତ। ୨୦୨୪ରେ ଦେଶରେ ଘଟିଥିବା ଅଶାନ୍ତି ସମ୍ପର୍କିତ ଘଟଣାର ନିରପେକ୍ଷ ନାଗରିକ ତଦନ୍ତ ପାଇଁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛନ୍ତି। ହସିନାଙ୍କ ସ୍ୱଦେଶ ଫେରିବା ଘୋଷଣା ଆଗାମୀ ଦିନରେ ବାଂଲାଦେଶ ରାଜନୀତିକୁ କେଉଁ ମୋଡ଼ ଦେବ, ତାହା ଉପରେ ଏବେ ନଜର ରହିଛି।

Related posts

ପ୍ରାର୍ଥୀଙ୍କ ପାଇଁ ପ୍ରୟାସ ସୀମା ଏବଂ ଯୋଗ୍ୟତା ସଂଶୋଧନ କରିଛି UPSC

mahabharatanews

ସେୟାର ବଜାରରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି

mahabharatanews

ବିହାରରେ ଘନ କୁହୁଡିର ପ୍ରଭାବ, ବଦଳିଲା ସ୍କୁଲ ଖୋଲିବା ସମୟ

mahabharatanews