ଭୁବନେଶ୍ୱର: ମାଘରେ ଅସମ୍ଭାଳ ଖରା । ଏବେଠୁ ତାତିରେ ଛଟପଟ ହୋଉଛି ଜନ ଜୀବନ । କିନ୍ତୁ ଆଜି ରାଜ୍ୟ ବାସୀଙ୍କୁ ମିଳିଛି ସାମାନ୍ୟ ଆସୋସ୍ତି । ପାଗରେ ଦେଖା ଦେଇଛି ପରିବର୍ତ୍ତନ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁ ଚଳାଚଳରେ ଅସଙ୍ଗତି ସହ ପଶ୍ଚିମା ଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହେଉଥିବା କୁହାଯାଉଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ବାକି ଓଡ଼ିଶାର ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୧ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୧ ଜିଲ୍ଲାରେ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୧୩ ତାରିଖ ପରିଠାରୁ ରାଜ୍ୟରେ ପୁଣି ଉପର ମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।