ଓଡିଶାପାଣିପାଗ

ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ବାତାବରଣ ସୃଷ୍ଟି କରିଛି

ବ୍ରହ୍ମଗିରି : ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ରୂପନେଇଛି। ପୁରୀ ଆଡ଼କୁ ପୁଣି ଏକ କିଲୋମିଟର ମେଲିଛି ଏହି ମୁହାଣ। ଏହି ମୁହାଣ ବାଲିବନ୍ଧକୁ ଧୋଇ ନେବା ଫଳରେ ପ୍ରବଳ ଜୁଆର ଚିଲିକା ଭିତରକୁ ପଶୁଛି।ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁ’ ସାମନାରେ ସପ୍ତାହକ ପୂର୍ବେ ପ୍ରାକୃତିକ ଉପାୟରେ ଏକ ମୁହାଣ ଖୋଲିଛି। ପୂର୍ବରୁ ଖୋଲିଥିବା ନଙ୍ଗାନାଶି, ଚଡ଼ଚଡ଼ି ମୁହାଣ ସହିତ ଏହି ମୁହାଣ ମଧ୍ୟ ମିଶି ଯାଇଛି। ଚିଲିକାରେ ପ୍ରାକୃତିକ ଉପାୟରେ ଖୋଲିଥିବା ମୁହାଣ ମଧ୍ୟରୁ ସବୁଠାରୁ ଭୟଙ୍କର ହେଉଛି ନଙ୍ଗାନାଶି। ଯାହାକି ପୁରୀ ଆଡକୁ ୫ କିଲୋମିଟର ମେଲିଛି।

ଏହା ଅରଖକୁଦା, ସିପବନ୍ତସାହି, ସାନପାଟଣା ଗାଁ’ ସାମନାରେ ରହିଛି। କିନ୍ତୁ ଏବେ ପୁଣି ଅରଖକୁଦା ଗାଁ’ ସାମନାରେ ଖୋଲିଥିବା ଲୁଣାପାଣି ମୁହାଣ ନଙ୍ଗାନାଶି ମୁହାଣ ଭଳି ଭୟଙ୍କର ହେବାରେ ଲାଗିଛି। ସପ୍ତାହକ ପୂର୍ବେ ଖୋଲିଥିବା ଏହି ମୁହାଣ ପୁରୀ ଆଡ଼କୁ ଏକ କିଲୋମିଟର ଖୋଲିଥିଲା। କିନ୍ତୁ ଆଜି ପୁଣି ଥରେ ଏକାଥରକେ ଏକ କିଲୋମିଟର ବାଲିବନ୍ଧକୁ ଧୋଇ ନେଇଛି। ବାଲିବନ୍ଧ ଉପରେ ଥିବା ସବୁ ଗଛକୁ ସମୁଦ୍ର ଭିତରକୁ ଟାଣି ନେଇଛି। ପୁରୀ ଆଡ଼କୁ ମୁହାଣ ଆଗରେ ଆଉ ମାତ୍ର କିଛି ଝାଉଁଗଛ ରହିଛି। ଯାହାକି ମୁହାଣକୁ ଅଟକାଇବାରେ ସକ୍ଷମ ହୋଇଛି। କିନ୍ତୁ ଜୁଆର ମାଡ଼ରେ ଏହାର କିଛି ଅଂଶ ଧୋଇବାରେ ଲାଗିଛି।

ମୁହାଣ ଆଜି ଅଧିକ ଖୋଲିବା ପରେ ଅରଖକୁଦା ଗାଁ’କୁ ବିପଦ ଆହୁରି ବଢିଛି। ପୂର୍ବରୁ ଏହି ଗାଁ’ ଭିତରକୁ ମୁହାଣ ଦେଇ ଯେତିକି ଜୁଆର ଆସୁଥିଲା ଏବେ ଆହୁରି ସ୍ଥିତି ସଙ୍ଗିନ ହେବାର ଆଶଙ୍କା କରାଯାଉଛି। ସମୁଦ୍ର-ଚିଲିକା ପ୍ରାୟ ୮ କିଲୋମିଟର ଏକାକାର ହୋଇଛି। ଏଠାରେ ଥିବା ସମସ୍ତ ଗଛ, ବାଲିବନ୍ଧ, ମତ୍ସ୍ୟଜୀବୀଙ୍କ ଅସ୍ଥାୟୀ କୁଡ଼ିଆ ସମୁଦ୍ର ଗର୍ଭକୁ ଚାଲିଯାଇଛି। ଆଜି ଏହି ମୁହାଣ ଅଧିକ ଖୋଲିବା ପରେ ମୁହାଣଠାରୁ ଦୁଇ କିଲୋମିଟର ମଧ୍ୟରେ ମାଛ ଧରିବା ମତ୍ସ୍ୟଜୀବୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଜଣାପଡ଼ିଛି। ଉପକୂଳରେ ସୁରକ୍ଷା ପ୍ରାଚୀର ହୋଇ ନ ଥିବାରୁ ବିପଦ ଆଶଙ୍କା ବଢ଼ିଛି। ଚିଲିକା ଉପକୂଳରେ ଥିବା ଅରଖକୁଦା ସମେତ ସିପବନ୍ତସାହି, ସାନପାଟଣା, ଗବକୁଣ୍ତ ପ୍ରଭୃତି ୧୫ ଜନବସତିକୁ ବିପଦ ଆଶଙ୍କା ଅଧିକ ବଢ଼ିଛି।

 

 

Related posts

ନନ୍ଦିଘୋଷ ରଥ ଟଣା ଆରମ୍ଭ 

mahabharatanews

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ

mahabharatanews

ଆଦର୍ଶ ଗ୍ରାମ ପାଇଁ ନିବେଦନ

mahabharatanews