(ଷ୍ଟକହୋମ୍): ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ଭାରତୀୟ ପରମ୍ପରାକୁ ଅଗ୍ରାଧିକାର ଦେଇଛନ୍ତି ପ୍ରଫେସର ଅଭିଜିତ ବାନାର୍ଜୀ । ସ୍ୱିଡେନ୍ର ଷ୍ଟକହୋମ କନସର୍ଟ ହଲ୍ରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା । ପୁରସ୍କାର ଗ୍ରହଣ କରିବା ବେଳେ ଅଭିଜିତ ଧୋତି ଓ ପାଇଜାମା ପିନ୍ଧିଥିବା ବେଳେ ତାଙ୍କ ସ୍ତ୍ରୀ ଇସ୍ତର ଡୁଫ୍ଲୋ ମଧ୍ୟ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି । ବିଶ୍ୱରୁ ଦାରିଦ୍ର୍ୟ ଦୁରୀକରଣ ଦିଗରେ ଗବେଷଣା ପାଇଁ ଅଭିଜିତ ତାଙ୍କ ସ୍ତ୍ରୀ ଇସ୍ତର ଡୁଫ୍ଲୋ ଓ ହାବାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ କ୍ରେମରଙ୍କୁ ଏହି ପୁରସ୍କାର ମିଳିଛି । ତେବେ ପୁରସ୍କାର ସହ ଏହି ତିନି ଜଣଙ୍କୁ ୬.୭ କୋଟି ଟଙ୍କା ଆର୍ଥିକ ରାଶି ମଧ୍ୟ ମିଳିଛି । ତେବେ ଅଭିଜିତ ଏବଂ ତାଙ୍କ ସ୍ତ୍ରୀ ପୁରସ୍କାର ବାବଦ ମିଳିଥିବା ଏହି ଆର୍ଥିକ ରାଶିକୁ ଦାନ କରିବା ସହ ଆଗାମୀ ଦିନରେ ଗବେଷଣାରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଚଳିତଥର ୩ ଜଣଙ୍କୁ ସଂଯୁକ୍ତ ଭାବେ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା । ୧୯୬୧ ମସିହା ଫେବୃଆରୀ ୨୧ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଅଭିଜିତ ଏବେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । କୋଲକାତା ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ ଏବଂ ଜେଏନୟୁରେ ସେ ପାଠ ପଢିଥିଲେ । ଏହାପରେ ୧୯୮୮ ମସିହାରେ ହାର୍ବାଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ହାସଲ କରିଥିଲେ । ସେହିପରି ତାଙ୍କ ସ୍ତ୍ରୀ ଇସ୍ତର ଡୁଫ୍ଲୋ ଏମଆଇଟି ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଫେସର ଅଛନ୍ତି । ଏଥିସହିତ ଦୀର୍ଘ ୨୧ ବର୍ଷ ପରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ନୋବେଲ ଅର୍ଥନୀତି ପୁରସ୍କାର ମିଳିଛି ।
previous post
next post