(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି):ମାଲକାନଗିରି ଜିଲାରେ ବନଜାତ ଦ୍ରବ୍ୟର ବିକ୍ରି ଏଠାକାର ଆଦିବାସୀଙ୍କ ପେଟପାଟଣା ପାଇଁ ଏକ ମାଧ୍ୟମ । ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ଟୋଲା ମଧ୍ୟ ଆଦିବାସୀଙ୍କ ଜୀବିକାର୍ଜନର ଏକ ଉତ୍ସ। ଏହାକୁ ସେମାନେ ବିକ୍ରି କରିବା ସହ ତେଲ ପ୍ରସ୍ତୁତ କରିଥାନ୍ତି। ଦୁଇମାସ ଟୋଲା ସଂଗ୍ରହ କରି ଶୁଖାଇବା ପରେ ସେମାନେ ଏହାକୁ ବିକ୍ରି କରିଥାନ୍ତି। ଏହାଦ୍ୱାରା ସେମାନେ ଦୁଇ ମାସର ରୋଜଗାର ପାଇଥାନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ବଜାରରେ ବିକ୍ରି କରପାରିନାହାନ୍ତି । ତେବେ ଆଦିବାସୀମାନେ ସେମାନଙ୍କ ପରିଶ୍ରମ ଅନୁସାରେ ମୂଲ୍ୟ ପାଆନ୍ତି ନାହିଁ। କାରଣ ବନଜାତ ଦ୍ରବ୍ୟ ପାଇଁ ସରକାର ଧାର୍ୟ୍ୟ କରିଥିବା ମୂଲ୍ୟ ବାବଦରେ ସେମାନେ ଜାଣନ୍ତି ନାହିଁ। ଏହାର ସୁଯୋଗ ବ୍ୟବସାୟୀମାନେ ନେଇଥାନ୍ତି। ପଡ଼ୋଶୀ ରାଜ୍ୟର ବ୍ୟବସାୟୀମାନେ ଖୁବ୍ ଶସ୍ତା ଦରରେ ଟୋଲା ଗୁଡିକୁ ସେମାନଙ୍କଠାରୁ କିଣି ବାହାରେ ଅଧିକ ଦରରେ ବିକ୍ରି କରି ଲାଭ ପାଇଥାନ୍ତି। ସ୍ଥାନୀୟ ଗାଁଗୁଡିକର କେତେଜଣ ବ୍ୟକ୍ତି ମଧ୍ୟ ଶହଶହ କୁଇଣ୍ଟାଲ ଟୋଲା ମହଜୁଦ ରଖି ବାହାରେ ଚଢା ଦରରେ ବିକ୍ରି କରନ୍ତି। ମାତ୍ର ଆଦିବାସୀମାନେ ସେହି ତରିକା ଜାଣନ୍ତି ନାହିଁ। ଏନେଇ ନିର୍ଦ୍ଦିଷ୍ଟ ବଜାର ନ ଥିବାରୁ ସେମାନଙ୍କଠାରୁ ବାହାର ବ୍ୟବସାୟୀମାନେ ହିଁ କିଣି ନେଇଥାନ୍ତି। ଫଳରେ ଆଦିବାସୀମାନେ ସବୁବେଳେ ଠକାମୀରେ ପଡିଥାନ୍ତି । କେବଳ ଟୋଲା ନୁହେଁ ପ୍ରତ୍ୟେକ ଲଘୁ ବନଜାତ ଦ୍ରବ୍ୟ ମହୁଲ, କେନ୍ଦୁପତ୍ର, ଝୁଣା, ହରିଡ଼ା, ବାହାଡ଼ା ଆଦିର ଉଚିତ ମୂଲ୍ୟ ନ ପାଇ ସେମାନେ ଶୋଷଣର ଶିକାର ହୋଇଥାନ୍ତି। ତେବେ ଲକ୍ଡାଉନ କଟକଣା ଯୋଗୁଁ ଏମାନେ ସବୁ କିଛି ଯେମିତି ହରାଇ ବସିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରିପାରିଲେ ଆଦିବାସୀଙ୍କ ଆର୍ଥିକ ବିକାଶ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
previous post