କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ । ବିହାର ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ମୁଖ୍ୟ ମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା । ଚଳିତ ବିଧାନସଭାର କାର୍ଯ୍ୟକାଳ ଶୀଘ୍ର ଶେଷ ହେଉଥିବା ବେଳେ ବିଜେପି, ଜେଡିୟୁ ଓ ଏଲଜେପି ରେ ପୃଥକ ପୃଥକ ଆଲୋଚନା ହେଉଛି । ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ଚିରାଗ ପାଶୱାନ । ସାକ୍ଷାତକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କରାଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇଯାଇଛନ୍ତି । ତେଣେ ନୀତୀଶଙ୍କ ବାସଭବନ ଆଗରେ ଭିଡ଼ ପରିଲକ୍ଷିତ ହୋଇଛି । ନୀତୀଶ ରାଜ୍ୟର ସର୍ବାଧିକ କାଳ ରହିଥିବା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଲାଗି ସେ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।

ଆଜି ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ବିହାରର ରାଜ୍ୟପାଳଙ୍କୁ ବିହାର ନିର୍ବାଚନର ରେଜଲ୍ଟ ନେଇ ସୂଚନା ଦେବେ । ଏହାପରେ ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଲାଗୁଥିବା ଆଦର୍ଶ ଆଚରଣ ବିଧି ଶେଷ ହେଇଯିବ । ଏହାପରେ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ କ୍ୟାବିନେଟ୍ ବୈଠକ କରିବେ, ଯେଉଁଠି ୧୭ତମ ବିଧାନସଭାକୁ ଭଙ୍ଗ କରିବାକୁ ପ୍ରସ୍ତାବ ପାରିତ ହେବ । ଏହାପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେବେ । ଆଉ ନୂଆ ସରକାର ଗଠନ ହେବା ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହେଇଯିବ ।
ନୀତୀଶ କୁମାରଙ୍କ ଇସ୍ତଫା ପରେ ଏନଡିଏର ସବୁ ଦଳକୁ ନେଇ ବୈଠକ ବସିବ । ଏହି ବୈଠକରେ ଏନଡିଏର ବିଧାୟକମାନେ ନିଜର ନେତା ବାଛିବେ । ଏନଡିଏ ବିଧାୟକଙ୍କ ବୈଠକରେ ନେତା ବଛାଯିବା ପରେ, ରାଜ୍ୟପାଳଙ୍କ ପାଖରେ ଏନଡିଏର ନେତା ସରକାର ଗଠନ ନେଇ ଦାବି ଜଣାଇବେ । ଆଉ ତା ପରେ ଶପଥ ଗ୍ରହଣ ସମାରୋହର ତାରିଖ ଆସିବ ବୋଲି କୁହାଯାଉଛି ।

