ଭୁବନେଶ୍ୱର/ଶିଳାସ୍ମିତା ରାୟ: ଆଲବମ କୁଇନ ଦୀପା ସାହୁ ଆଉ ନାହାନ୍ତି । କ୍ୟାନସରରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କ ପରଲୋକ ଘଟିଛି । ଏନେଇ ତାଙ୍କ ସ୍ୱାମୀ ମନିନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି । ସେ ଦୀର୍ଘ ବର୍ଷରୁ କ୍ୟାନ୍ସରରେ ପୀଡିତ ଥିଲେ । ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସେ କ୍ୟାନ୍ସର ନିକଟରେ ହାରିଯାଇଛନ୍ତି । ତାଙ୍କ ମୃତ୍ୟୁର ଖବର ପାଇ ଦୀପାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଓଲିଉଡ ଓ ଆଲବମ ଜଗତରେ ଦେଖାଦେଇଛି ଏକ ଅଭାବ ।
ଦୀପା ଅନେକ ଓଡିଆ ଅଲବମରେ ଅଭିନୟ କରିଛନ୍ତି । ସେହି ଆଲବମରୁ ସେ ଓଡିଆଙ୍କ ହୃଦୟରେ ରାଜ କରିଥିଲେ । ସେ ପ୍ରାୟ ହଜାରରୁ ଅଧିକ ଆଲବମରେ ଅଭିନୟ କରିଥିଲେ । ତୋର କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ, ମୁଁ ଝିଅଟେ ମେଡ ଇନ ଓଡିଶା, ତୋ ଟଣା ଟଣା ଆଖି, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ମିଛେଇ ଝିଅ ପରି ବହୁ ସଂଗୀତରେ ଓ ଅନେକ ସିରିଏଲରେ ମଧ୍ୟ ଅଭିନୟ କରି ଓଡିଆ ଦର୍ଶକଙ୍କ ହୃଦୟରେ ନିରଙ୍କୁଶ ରାଜ କରୁଥିଲେ । କିନ୍ତୁ କ୍ୟାନ୍ସର ହେବା ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।