(ଦିଲ୍ଲୀ) : ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବ ଦଳୀୟ ବୈଠକ ହେବ। ଚଳିତ ଅଧିବେଶନରେ ସରକାର ୨୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତି ହୋଇଥିବା ଜଣାପଡିଛି।
ସୂଚନାନୁଯାୟୀ , ଜନ ବିଶ୍ବାସ ବିଲ୍ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ସରକାର ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏନଆରଏଫ) ବିଲ୍ ମଧ୍ୟ ଆଣିପାରନ୍ତି। ସେହିଭଳି ଜୈବ ବିବିଧତା (ସଂଶୋଧନ) ବିଲ୍ ୨୦୨୧, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ ୨୦୨୩, ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବିଲ୍, ଡାକ ସେବା ବିଲ୍, ୨୦୨୩ ଆଦି ଆଗତ ହେବା ସମ୍ଭାବନା ରହିଛି।
