ଭୁବନେଶ୍ୱର: ଗତ ୧୯ ତାରିଖରେ ମଧ୍ୟମ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ)ଙ୍କ ନାଁରେ ଜଣେ ମହିଳା ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାରେ ଅସଦାଚରଣ ଅଭିଯୋଗ କରିଥିଲେ । ଅବଶ୍ୟ ପରେ ପୁଲିସ ଏହି ମାମଲାରେ ବିଧାୟକଙ୍କୁ କ୍ଲିନ ଚିଟ ଦେଇଛି, ଯାହାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅନନ୍ତ । ତେବେ ବିଧାୟକଙ୍କ ନାମରେ ଏହା ପ୍ରଥମ ମାମଲା ନୁହେଁ । ପୂର୍ବରୁ ଅସଦାଚରଣ, ଦୁର୍ବ୍ୟବହାର, ହତ୍ୟା, ଧମକ ପରି ଅଭିଯୋଗର ଲମ୍ବା ତାଲିକା ରହିଛି । ଅନନ୍ତଙ୍କ ବ୍ୟବହାରକୁ ନେଇ ମଧ୍ୟ ଦଳରେ ଅସନ୍ତୋଷ ରହିଛି । ଏହା ବ୍ୟତୀତ ଲୋକଙ୍କ ସହାନଭୂତି ସାଉଁଟିବାରେ ମଧ୍ୟ ବିଧାୟକ ନିଜ ଉପରେ ମଧ୍ୟ ଆକ୍ରମଣ କରାଇବାର ଦୃଷ୍ଟାନ୍ତ ରହିଛି ।
ମେୟର ଥିବା ସମୟରେ ବିଧାୟକଙ୍କ ଏକ କେଳେଙ୍କାରୀର ଭିଡିଓ ସେତେବେଳେ ବେଶ ଚର୍ଚ୍ଚା ସାଉଁଟିଥିଲା । ଏହା ବ୍ୟତୀତ ଇଞ୍ଜିନିୟରିଂ ଛାତ୍ର ଋଷିର ହତ୍ୟା ନେଇ ମଧ୍ୟ ବିଧାୟକଙ୍କ ନାମରେ ମାମଲା ହୋଇଥିଲା । ଏସବୁ ହୁଏତ ଲୋକଙ୍କ ମନରୁ ହଜିଯାଇଥିବ । କିନ୍ତୁ, ଗତବର୍ଷ ସାଧାରଣ ନିର୍ବାଚନ ସମୟରେ ମଧ୍ୟମ ଭୁବନେଶ୍ୱରର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରକୁ ଅନନ୍ତଙ୍କ ସମର୍ଥକ ଆକ୍ରମଣ କରିବା ନେଇ ଏକ ଅଭିଯୋଗ ହୋଇଥିଲା । ନିର୍ବାଚନ ପରେ ପରେ ଝାରପଡା ଅଞ୍ଚଳର ଜଣେ ପଞ୍ଜାବୀ ବ୍ୟବସାୟୀ ପରବିନ୍ଦର ସିଂହଙ୍କୁ କିଛି ଯୁବକ ତାଙ୍କ ଆପାର୍ଟମେଣ୍ଟ ସମ୍ମୁଖରେ ଆକ୍ରମଣ କରିଥିଲେ । ଏହି ଘଟଣା ସେ ସମୟରେ ହଇଚଇ ସୃଷ୍ଟି କରିଥିଲା । ଘଟଣା ପରେ ଅନନ୍ତ ମଧ୍ୟ ରାତି ଅଧରେ ପରବିନ୍ଦରଙ୍କ ଘରକୁ ଯାଇ ଥାନାରୁ କେଶ ପ୍ରତ୍ୟାହର କରିବାକୁ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା, କାରଣ ସମ୍ପୃକ୍ତ ଆକ୍ରମଣକାରୀ ଅନନ୍ତଙ୍କ ସମର୍ଥନ ଥିବା କୁହାଯାଉଥିଲା । ସବୁଠାରୁ ବଡ କଥା, ବିଧାୟକ ହେବା ପରେ ମଧ୍ୟ ଅନନ୍ତ ଭୁବନେଶ୍ୱର ନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ନିର୍ବାଚନମଣ୍ଡଳୀରେ ପୂର୍ବପରି ତାଙ୍କ ପତିଆରା ଜାହିର କରିବାକୁ ଚେଷ୍ଟା କରିଥିଲେ । ଏଥିନେଇ ବିଭିନ୍ନ ସମୟରେ ତାଙ୍କର ବିଭିନ୍ନ କର୍ପୋରେଟର ତଥା ମେୟର ଆଶାୟୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରି କି ୱାର୍ଡ ନମ୍ବର ୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ସହ ହାତାହାତି ପରି ଘଟଣା ଦେଖିବାକୁ ମିଳିଥିଲା ।
ଜଣେ ବ୍ୟକ୍ତିଙ୍କ ନାମରେ ପୂର୍ବରୁ ଏତେ ସବୁ ଅଭିଯୋଗ ଓ ମାମଲା ଥିବା ବେଳେ ପୁଲିସ ୧୯ ତାରିଖ ରାତି ୧୨ଟାରେ ଦାୟର ହୋଇଥିବା ଏକ ମାମଲାର ୨ ଦିନ ପରେ ବିଧାୟକଙ୍କୁ କ୍ଲିନଚିଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସାଧାରଣ ଅପରାଧର ସମାଧାନ ପାଇଁ ପୁଲିସ ବର୍ଷ ବର୍ଷ ସମୟ ନେଉଛି । କିନ୍ତୁ ଏହି ଘଟଣାରେ ଦୁଇ ଦିନରେ ପୁଲିସ ନିର୍ଯ୍ୟାସରେ ପହଁଚିବା ସ୍ପଷ୍ଟ କରୁଛି, ବିଧାୟକଙ୍କ ପତିଆରା କେତେ ଲମ୍ବିଛି । ହୁଏତ ସେହି ପତିଆରାକୁ ନେଇ ବିଧାୟକ ହେବା ପରେ ଅନନ୍ତ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି । ଚଳାଇଛନ୍ତି ଦାଦାଗିରି । ନୋହିଲେ, ବାଘମାରୀ ଅଞ୍ଚଳରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଅନନ୍ତ ବାଘମାରୀ ଯାଇନଥାନ୍ତେ, ତାହା ପୁଣି ଲକଡାଉନ ସମୟରେ । ଏହା ବ୍ୟତୀତ, ବିଧାୟକ ହେବା ପରେ ଅନନ୍ତଙ୍କ ଗର୍ବ ଯେମିତି ଅସହ୍ୟ ହୋଇପଡିଛି । ସେ ଧରାକୁ ସରା ମଣୁଛନ୍ତି । ତାଙ୍କ ବ୍ୟବହାର ଦଳୀୟ କର୍ମକର୍ତ୍ତାଙ୍କୁ ମଧ୍ୟ ଅତିଷ୍ଠ କରୁଛି । ଏହା ଆମେ କହୁନାହୁଁ, ଦଳୀୟ କର୍ମକର୍ତ୍ତା କହୁଛନ୍ତି । କାହାରିକୁ ତାଙ୍କ ଡରଭୟ ନାହିଁ । ଏପରିକି ସେ ଖୋଲାଖୋଲି ଗଣମାଧ୍ୟମ ସମ୍ମୁଖରେ ମଧ୍ୟ କହିବାକୁ ପଛଉ ନାହାନ୍ତି, ମୋର କେହି କିଛି କରି ପାରିବେ ନାହିଁ । ଏତେ ସବୁ ଔଦ୍ଧତ୍ୟ ଓ ପୂର୍ବ ରେକର୍ଡକୁ ଦେଖି ମନେ ହେଉଛି, ଅନନ୍ତଙ୍କ ଗର୍ବର ଅନ୍ତ କାଳ ଯେମିତି ନିକଟ ପ୍ରାୟ ।
previous post
next post