ଦିଲ୍ଲୀ: ପଞ୍ଜାବରେ ପୂର୍ଣ୍ଣ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ବିଜେପି କଂଗ୍ରେସକୁ ପଛରେ ପକାଇ ପଞ୍ଜାବକୁ ଆପଣାଇ ନେଇଛି ଆପ୍ । ବର୍ତ୍ତମାନ ଦେଶରେ ବିଜେପି ଓ କଂଗ୍ରେସ ସମେତ ପ୍ରାୟ ୭ଟି ଦଳ ଜାତୀୟ ଦଳର ମାନ୍ୟତା ପାଇଛି । ଏହାପରେ ପଞ୍ଜାବରେ ବିଜୟ ହାସଲ କଲାପରେ ଜାତୀୟ ଦଳ ମାନ୍ୟତା ପାଇବାର ନିକଟବର୍ତ୍ତୀ ହେବାରେ ଲାଗିଛି ଆପ୍ ।
ଜାତୀୟ ଦଳ ମାନ୍ୟତା ପାଇବାର ଲାଭ:
ସାଧାରଣ ନିର୍ବାଚନ ସମୟରେ ଜାତୀୟ ଦଳ ମାନ୍ୟତା ପାଇଥିବା ଦଳ ଗୁଡିକ ନିଜ ଚିହ୍ନରେ ସବୁ ପ୍ରକାର ନିର୍ବାଚନ ଲଢିବାର ସୁଯୋଗ ପାଇଥାଏ । ଏହା ସହ ଦିଲ୍ଲୀରେ ଦଳୀୟ କାର୍ଯ୍ୟାଳୟ ପାଇବାରେ ଯୋଗ୍ୟତା ମଧ୍ୟ ହାସଲ କରିଥାଏ । ସାଧାରଣ ନିର୍ବାଚନ ସମୟରେ ଏହି ଦଳ ଗୁଡିକ ୪୦ ଜଣ ପର୍ଯ୍ୟନ୍ତ ତାରକା ପ୍ରଚାରକଙ୍କୁ ବାଛିପାରି ଥାନ୍ତି ।
ଜାତୀୟ ଦଳର ମାନ୍ୟତା ପାଇବାର ନିୟମ:
ଜାତୀୟ ଦଳରେ ପରିଣତ ହେବାକୁ ହେଲେ ଗୋଟିଏ ଦଳ କୌଣସି ଲୋକସଭା ବା ବିଧାନସଭା ନିର୍ବାଚନରେ ଚାରିଟି ବା ତାଠୁ ଅଧୀକ ରାଜ୍ୟରେ ଭୋଟର ଅତିକମରେ ୬ ପ୍ରତିଶତ ରହିଥିବା ଆବଶ୍ୟକ ।
ଗତ ନିର୍ବାଚନରେ ଦିଲ୍ଲୀରେ ଆପ୍କୁ ୫୪ ପ୍ରତିଶତ ଭୋଟ୍ ମିଳିଥିବା ବେଳେ, ଚଳିତ ବର୍ଷ ଏହି ଦଳ ପଞ୍ଜାବରେ ୪୨ ପ୍ରତିଶତ, ଗୋଆରେ ୬.୭୭, ଉତ୍ତରାଖଣ୍ଡରେ ୩.୪ ଏବଂ ଉତ୍ତର ପ୍ରଦେଶରେ ୦.୩ ପ୍ରତିଶତ ଭୋଟ ହାତେଇଛି । ଆପ୍ ର ବର୍ତ୍ତମାନ ଲୋକସଭାରେ ଏକ ମାତ୍ର ସଦସ୍ୟ ଭଗୱନ୍ତ ରହିଛନ୍ତି । କିନ୍ତୁ ଯଦି ଗୋଟିଏ ଦଳ ଲୋକସଭା ଆସନରେ ୨ ପ୍ରତିଶତ ଆସନ ଜିତେ ତାହା ହେଲେ ମଧ୍ୟ ଉକ୍ତ ଦଳ ଜାତୀୟ ଦଳର ମାନ୍ୟତା ପାଇପାରିବ । ପଞ୍ଜାବ ପରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ଉପରେ ନଜର ରଖିଛି ଆପ୍ । ଏଣୁ ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ବେଳକୁ ହୁଏତ ଆମ୍ ଅଦମୀ ପାର୍ଟି ଜାତୀୟ ଦଳ ଭାବେ ପରିଣତ ହେବାର ସୁଯୋଗ ପାଇପାରେ ।