ଓଡିଶା

ଆଜି ବନକଲାଗି ନୀତି ; ୪ଘଣ୍ଟା  ସାଧାରଣ ଦର୍ଶନ ବନ୍ଦ

(ପୁରୀ) :  ଆଜି (ବୁଧବାର) ହେବ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ ।

ସୂଚନାନୁଯାୟୀ , ରାତି ୯ଟା ପରେ ଦର୍ଶନ ମିଳିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ପ୍ରତି ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି ।

Related posts

ଆକାଶ ଛୁଆଁ ଲେମ୍ବୁ ଦର

mahabharatanews

ବଲେରୋ ଦୁର୍ଘର୍ଟଣାଗ୍ରସ୍ତ: ୪ ମୃତ, ୪ ଆହତ

mahabharatanews

ଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତର

mahabharatanews