ଭୁବନେଶ୍ୱର/ସୁର୍ଜିତ ଧଳ: ସମ୍ପ୍ରତି ରାଜଧାନୀର ସାମ୍ବାଦିକ ଖଟିରେ ସରକାରଙ୍କ ମେଡିଆ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ନେଇ ଚର୍ଚ୍ଚା । ଏହି ଯୁବ ନେତାଙ୍କ ଦୈନନ୍ଦିନ ଜୀବନର ଟିକନିକ ଖବରକୁ ନେଇ ଚର୍ଚ୍ଚା । ସେ କେଉଁଠିକୁ ଗଲେ, କେଉଁ ମିଡିଆ ହାଉସରେ କେତେ ଖର୍ଚ୍ଚ କଲେ, କେଉଁ ରିପୋର୍ଟର ଓ କ୍ୟାମେରା ମ୍ୟାନଙ୍କୁ କେତେ ଆର୍ଥିକ ସହଯୋଗ କଲେ, କାହା ନାମରେ ଗାଡି କିଣିଲେ, କେଉଁଠି ଅର୍ଥ ବିନିଯୋଗ କଲେ, କେଉଁ ଖଣି କିଣିଲେ… ଏମିତି କେତେ କଣ ଚର୍ଚ୍ଚା ପ୍ରତ୍ୟହ ହେଉଛି । ଏହାକୁ ନେଇ କିଛି ତାଙ୍କୁ ସମାଲୋଚନା କରୁଛନ୍ତି, କିଛି ତେଲ ମାରୁଛନ୍ତି । ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ କିଛି ବରିଷ୍ଠ ସାମ୍ବାଦିକ ମାନସଙ୍କ ଏପରି ପରିବର୍ତ୍ତନକୁ ନେଇ ହତୋତ୍ସାହିତ ଥିବା ଆଜି ଦେଖିବାକୁ ମିଳିଥିଲା ।
ଆଜିର ଖଟିରେ ଜଣେ କହିଲେ, ଅମୁକ ମେଡିଆର କ୍ୟାମେରା ମ୍ୟାନକୁ ମାନସବାବୁ ଏତିକି ଟଙ୍କା ଦେଇଛନ୍ତି । ଏହାକୁ ନେଇ ଜଣେ ବରିଷ୍ଠ ସାମ୍ବାଦିକ କହିଲେ,ମାନସ ବାବୁ ସାମ୍ବାଦିକତାରୁ ରାଜନୀତିକୁ ପ୍ରବେଶ କରିଛନ୍ତି । କଂଗ୍ରେସରେ ଦୀର୍ଘ ସମୟ କାମ କରିବା ପରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ଯୋଗ ଦେଉ ଦେଉ ତାଙ୍କୁ ମିଡିଆ ସେଲର ପରାମର୍ଶଦାତା ଦାୟିତ୍ୱ ମିଳିଛି । ଅଳ୍ପ ସମୟ ମଧ୍ୟରେ ସେ ଭଲ ଉନ୍ନତି କରିଛନ୍ତି । ତାଙ୍କ ସମସାମୟିକ ନେତାଙ୍କ ଦଳରେ କୌଣସି ମୂଲ୍ୟ ନ ଥିବା ବେଳେ ବାବୁ କିନ୍ତୁ ପାହାଚପରେ ପାହାଚ ଚଢି ମାତ୍ର ଦୁଇଟି ବର୍ଷ ନ ପୂରୂଣୁ ତୃତୀୟ ମହଲାରେ ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କୁ ପରାମର୍ଶ ଦାତା ପଦ ମିଳିବା ପରେ ଆମେ ଭାବୁଥିଲୁ ସେ ଆମ ଦୁଃଖ ଦୂର କରିବେ । କିନ୍ତୁ ଏବେ ତାଙ୍କୁ ଦେଖିଲେ ବିଶ୍ୱାସ ହେଉ ନାହିଁ ସେ ସେହି ମାନସ ବାବୁ । ଦଳରେ ପଦବୀ ମିଳିବା ପରେ ସେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । କିଛି କାନକୁହାଙ୍କ ପ୍ରରୋଚନାରେ ପଡି ସାମ୍ବାଦିକଙ୍କ ଉପରେ ଜୁଲମ ଚଳାଇଛନ୍ତି । ସତେ ଯେମିତି ସବୁ ସାମ୍ବାଦିକ ତାଙ୍କ ବେଠିଆ, ସେ ଯେମିତି କହିବେ ସେମିତି ଖବର କରିବେ । ଦଳର ଦୋଷ ଦୂର୍ବଳାତକୁ ଲୁଚେଇବା କାମ କରି ଦଳର ସର୍ବମୟ କର୍ତ୍ତା ମନେ କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି ବିଜେଡି କାହାର ନୁହେଁ । । କେତେବେଳେ କାହାକୁ ରାହୁ ଗ୍ରାସ କରିବ, କେତେବେଳେ ସୁପ୍ରିମୋଙ୍କ କୋପ ଦୃଷ୍ଟି କାହା ଉପରେ ପଡିବ, ତାହା ସମୟକୁ ମଧ୍ୟ ଅଜଣା । ଏପରି ସ୍ଥଳେ ମାନସବାବୁଙ୍କ ଏ ଗର୍ବ ରହିଲେ ହେଲା!
ଅନ୍ୟ ଜଣେ କହିଉଠିଲେ, ଠିକ କହିଲ ଭାଇ । ଦଳରେ ଏବେ ଯାହା ଚାଲିଛି, ଯେମିତି ଦଳୀୟ ନେତା ପରସ୍ପରର ଗୋହି ଖୋଳାଖୋଳି ହେଉଛନ୍ତି, ପରସ୍ପର ପାଇଁ ଷଡଯନ୍ତ୍ର କରୁଛନ୍ତି, ହୁଏତ ମାନସ ବାବୁ ଜାଣିପାରୁ ନାହାନ୍ତି । ବେଙ୍ଗ କହେ ବେଙ୍ଗୁଲି କୁ, ପୃଥୀ କ୍ଷଣ କ୍ଷଣକେ ଆନ । ହେଲେ ବିଜେଡିରେ ଏହି ଢଗ ପୂରା ଫିଟ ବସୁଛି । ଦିନେ ଯେଉଁ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଆଖିର ପିତୁଳା ହୋଇଥିଲେ, ଏକାଧିକ ଅଭିଯୋଗ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡାଇ ରଖୁଥିଲେ, ଏମିତି କଣ ହେଲା କି ତାଙ୍କୁ ଦଳରୁ ବହିଷ୍କୃତ କରାଯିବା ସହ ପୂର୍ବର ଦୁର୍ନୀତିରେ ଛନ୍ଦି ଦିଆଗଲା । ଦିନେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଥିଲେ କ୍ଷମତା କେନ୍ଦ୍ରର କେନ୍ଦ୍ର ବିନ୍ଦୁ । କିନ୍ତୁ ସେହି ଦଳୀୟ ନେତା ତାଙ୍କ ବିରୋଧରେ ଷଡଯନ୍ତ୍ର କରି ଆଜି ତାଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି । ଆଉ କାଲକା ଛୋରା ଏ ମାନସ ବାବୁଙ୍କୁ ପଚାରେ କିଏ? ତାଙ୍କ ସପକ୍ଷରେ ଖବର ହେଲେ ତାକୁ ତାଙ୍କ ଫ୍ୟାନ କ୍ଲବ ଓ ତାଙ୍କ ସୋସିଆଲ ମିଡିଆ ସେୟାର କରୁଛି, ଆଉ ଯେତେବେଳେ ତାଙ୍କ ବିରୋଧରେ ନ୍ୟୁଜ ହେଉଛି, ସେହି ନ୍ୟୁଜ ସଂସ୍ଥା ଓ ତାର କର୍ମକର୍ତ୍ତାଙ୍କୁ ବ୍ଲକ କରି ଦେଉଛନ୍ତି । ଆରେ ଭାଇ ତମେ ରାଜନୀତିରେ । ତମ ଉପରେ ରାଜ୍ୟବାସୀଙ୍କ ନଜର । କିଏ ସମାଲୋଚନା କରିବେ, କିଏ ପ୍ରଶଂସା କରିବେ । ତେଣୁ ସମାଲୋଚନାରେ ଅତିଷ୍ଠ ହୋଇ, ପ୍ରତିଶୋଧ ପରାୟଣ ହୋଇ କାହାକୁ ବ୍ଲକ କରି ଦେବା, କାହାକୁ ମାଡ ମରେଇବା ଏ କଣ ଶୋଭା ପାଉଛି?
ତାଙ୍କ କଥାକୁ ଅଧାରେ ଅଟକାଇ ପୂର୍ବ ବରିଷ୍ଠ ସାମ୍ବାଦିକ କହିଲେ, ସମାଲୋଚନା ମଣିଷକୁ ମଣିଷ କରି ଗଢି ତୋଳି ଥାଏ । ପ୍ରଶଂସାର ଲୋଭ ମଣିଷ ଭିତରେ ଗର୍ବ, ଅହଂକାର ଭରି ତାକୁ ପତନମୁଖୀ କରେ । ତେଣୁ ମାନସବାବୁ ତାହା ବୁଝିବା ଦରକାର । ତା ପରେ ସେ ଅନେକ ଥର କହିଛନ୍ତି, ସେ ବବି ଦାସଙ୍କୁ ତାଙ୍କ ଆଦର୍ଶ, ବଡ ଭାଇ ମାନନ୍ତି । ଯଦି ବାସ୍ତବରେ ବବିଙ୍କ ମାନନ୍ତି, ତେବେ ବବିଙ୍କ ଠାରୁ କଣ ଶିକ୍ଷା ଗ୍ରହଣ କରିଛନ୍ତି । ସାମ୍ବାଦିକମାନେ ସର୍ବାଧିକ ବବିଙ୍କୁ ଟାର୍ଗେଟ କରନ୍ତି । ତାଙ୍କ ବିରୋଧରେ ଖବର ପ୍ରକାଶ ପାଏ । ଏପରି କି ଦଳୀୟ ନେତା ମଧ୍ୟ ତାଙ୍କ ବିରୋଧରେ ମିଛ ସତ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତି । କିନ୍ତୁ ଏଥିରେ ବବି କେବେ ବିଚଳିତ ହୋଇ ନାହାନ୍ତି । ସେ ସର୍ବଦା ସ୍ଥିର ନିଶ୍ଚିତ । ନିଜ କାର୍ଯ୍ୟ ଭିନ୍ନ ଅନ୍ୟ କୌଣସି କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ତାଙ୍କ ପାଖରେ ସମୟ ନ ଥାଏ କି କାନ କୁହାକୁ ଟେର ନ ଥାଏ । ସବୁବେଳେ ଦଳର ଉନ୍ନତି, ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ବବି ବ୍ୟସ୍ତ । ଷଡଯନ୍ତ୍ରକାରୀ, ସମାଲୋଚକ ତଥା ପ୍ରଶଂସକଙ୍କୁ ସେ ସମାନ ଦୃଷ୍ଟିରେ ଦେଖନ୍ତି । ଜିଲ୍ଲା ତଥା ତାଙ୍କ ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏମିତି କି, ରାତି ଅଧରେ ମଧ୍ୟ ତାଙ୍କ ଦ୍ୱାରରେ କେହି ସହାୟତା ପାଇଁ ଠିଆହୋଇଗଲେ ଭୋକ, ଶୋଷ, ନିଦ ସବୁ ଭୁଲି ବବି ସେହି ଲୋକଙ୍କୁ ସାହାଯ୍ୟ କରନ୍ତି । ବନ୍ୟା ସମୟରେ ଯାଜପୁର ଜିଲ୍ଲାର ଲୋକେ ଦେଖିଛନ୍ତି ସେ ଦିନ ରାତି ବିଭିନ୍ନ ବିଧାନସଭା ମଣ୍ଡଳୀ ବୁଲି ଲୋକଙ୍କ ଉଦ୍ଧାର, ଥଇଥାନ, ଖାଦ୍ୟ ରନ୍ଧା, ବଣ୍ଟ କାର୍ଯ୍ୟ କରିବାର । ସେହିପରି, ଦୁଇଟି ଯାକ ଉପନିର୍ବାଚନରେ ସେ ୧୫-୧୮ ଘଣ୍ଟା ପ୍ରଚାର କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ଖାଲି ବବିଙ୍କୁ ବଡ ଭାଇ ନ କହି ତାଙ୍କ ପଦାଙ୍କ ଅନୁସରଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।