ଓଡିଶା

ଜୀବିକା ପାଇଁ ଧାରଣାରେ ବିଦ୍ୟୁତ ମିଟର ରିଡର

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ଆଜି ପାରାଦ୍ୱୀପ ବିଦ୍ୟୁତ ଯୋଗାଣ ବିଭାଗ ଅଧୀନସ୍ଥ ପାରାଦ୍ୱୀପଗଡ଼ ବିଦ୍ୟୁତ କାର୍ୟ୍ୟାଳୟ ଠାରେ ଧାରଣାରେ ବସିଛନ୍ତି ବିଦ୍ୟୁତ ମିଟର ରିଡରମାନେ । ଦୀର୍ଘ ୧୨ ବର୍ଷ ଧରି ଏହି ବିଦ୍ୟୁତ ବିଭାଗ ଅଧୀନରେ ୮ଗୋଟି ସେକ୍ସନରେ ମିଟର ରିଡର ଭାବରେ କାର୍ୟ୍ୟ କରୁଥିବା ୬୪ ଜଣ କର୍ମଚାରୀ ସେମାନଙ୍କ ଜୀବିକାକୁ ନେଇ ଆଶଙ୍କିତ । କାରଣ ସ୍ଥାନୀୟ ଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ ଙ୍କ ଠାରୁ ମିଳିଛି ଚରମ ବାଣୀ। ଏହି ମାସ ପରେ ତୁମ ମାନଙ୍କର ଚାକିରୀ ନାହିଁ। ତୁମେ ମାନେ ଆଉ କାମ କରିବ ନାହିଁ।
ଏହି ଇଲେକ୍ଟ୍ରି ସପ୍ଲାଇ କାମ ଟାଟା କମ୍ପାନୀ ହାତକୁ ନେବା ପରେ ଓଡ଼ିଶା ସରକାରଙ୍କ ବିଦ୍ୟୁତ ମନ୍ତ୍ରୀଙ୍କ କହିବା ଅନୁସାରେ କୌଣସି କର୍ମଚାରୀ ଙ୍କୁ କାର୍ୟ୍ୟ କ୍ଷେତ୍ରରୁ ବାହାର କରାଯିବ ନାହିଁ, କିନ୍ତୁ ଆବଶ୍ୟକସ୍ଥଳେ ନୂତନ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ। ତେବେ ମନ୍ତ୍ରୀ କଥା ଆଉ ସ୍ଥାନୀୟ ବିଦ୍ୟୁତ ଯୋଗାଣ ଅଧିକାରୀଙ୍କ କଥା ମଧ୍ୟରେ ବ୍ୟତିକ୍ରମ ପରିଲିକ୍ଷିତ ହେଉଛି। ବର୍ତ୍ତମାନ ପାରାଦ୍ୱୀପ ବିଦ୍ୟୁତ ଯୋଗାଣ ଅଧୀନରେ ମୋଟ ୮ ଗୋଟି ସେକ୍ସନ ପାରାଦ୍ୱୀପ, ଭୂତମୁଣ୍ଡେଇ,କୁଜଙ୍ଗ, ଚଟୁଆ,ରାହାମା,ତିର୍ତ୍ତୋଲ, କୋଲର, ଏରସମା ଆଦି ସେକ୍ସନ ରେ ୧ ଲକ୍ଷ ରୁ ଊଦ୍ଧ୍ୱର୍ ବିଜୁଳି ଉପୋଭୋକ୍ତା ଅଛନ୍ତି। ଯେଉଁ ମାନଙ୍କର ବିଦ୍ୟୁତ ମିଟର ରିଡିଂ ପାଇଁ ଦୀର୍ଘ ୧୨ ବର୍ଷ ଧରି କାମ କରି ଆସୁଥିଲେ ୬୪ ଜଣ କର୍ମଚାରୀ। ବିଦ୍ୟୁତ ବିଲ ଅନୁଯାୟୀ ୪ ଟଙ୍କା ହିସାବରେ ପାରିଶ୍ରମିକ ପାଉଥିଲେ। ଏମିତି କି କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ନିଜ ଅଞ୍ଚଳରେ ଥିବା ବିଦ୍ୟୁତ ଉପୋଭୋକ୍ତାମାନଙ୍କ ଘରକୁ ଘର ଯାଇ ନିଜର କର୍ତ୍ତବ୍ୟ କରିଆସୁଥିଲେ। କିନ୍ତୁ ଏବେ ଯୋଗାଣ ଅଧିକାରୀ ସମସ୍ତ ମିଟର ରିଡରଙ୍କଠାରୁ ସେମାନଙ୍କ ମିଟର ନେବା ସହ ସେମାନଙ୍କୁ ଚାକିରିରୁ ବାହାର କରାଯିବା କଥା କହିଛନ୍ତି । ତେଣୁ ୬୪ ଜଣ ମିଟର ରିଡର ଏହାକୁ ବିରୋଧ କରିଛନ୍ତି । ଏସ.ଏଚ.ଜି ଗ୍ରୁପକୁ ମିଟର ରିଡର ଭାବରେ କାମ କରୁଥିବା କର୍ମଚାରୀ ମାନେ ବିରୋଧ କରି ନଥିଲେ ବି ସେମାନଙ୍କ ଜୀବିକାକୁ ନେଇ ବିରୋଧ କରିଛନ୍ତି ମିଟର ରିଡରମାନେ ।
ପ୍ରଶ୍ନ ଉଠୁଛି ଦୀର୍ଘ ୧୨ ବର୍ଷ ଧରି କାର୍ୟ୍ୟ କରି ଆସିଥିବା ଏବଂ ଧୀରେ ଧୀରେ ବୟସ ବଢ଼ି ଚାଲୁଥିବା ବେଳେ ଏମିତି ଭାବରେ କର୍ମ ରୁ ଛଟେଇ କୁ ନେଇ କଣ କରିବେ ମିଟର ରିଡର ମାନେ। ସେମାନଙ୍କ ପରିବାରକୁ କେମିତି କରିବେ ଭରଣ ପୋଷଣ କରିବେ ଛଟେଇ ପରେ, କେଉଁଠି ପାଇବେ କର୍ମ ନିଯୁକ୍ତି? ଏହାକୁ ନେଇ ସେମାନେ ଆଶଙ୍କା ମଧ୍ୟରେ । ଶକ୍ତି ମନ୍ତ୍ରୀଙ୍କ ବୟାନ ଆଉ ସ୍ଥାନୀୟ ଅଧିକାରୀଙ୍କ କାର୍ୟ୍ୟକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କାହା କଥାରେ ଚାଲିଛି ବିଭାଗ କାହା ନିର୍ଦେଶରେ କରାଯାଉଛି ମନମାନୀ। ଯଦି କର୍ତ୍ତୃପକ୍ଷ ମିଟର ରିଡରଙ୍କ ପାଇଁ ଉଚିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ପାରାଦ୍ୱୀପ ସମ୍ପାଦକ ଆଦିତ୍ୟ ପ୍ରସନ୍ନ ମହାନ୍ତି କହିଛନ୍ତି । ଏହି ଧାରଣାରେ ରାଜେଶ ପାତ୍ର, ବିଭୁତି ଭୂଷଣ ବେହେରା, ଅଶୋକ ବେହେରା, ରଞ୍ଜନ ମଲ୍ଲିକଙ୍କ ସମେତ ସରୋଜ କୁମାର ସେଠୀ, ସୁଦର୍ଶନ ଗ୍ରହଚାର୍ୟ୍ୟ, ଚକ୍ରଧର ମହାନ୍ତି, ଅନିରୁଦ୍ଧ ଚୌଧୁରୀ, ଦିଲ୍ଲୀପ ବେହେରା, ବାବାଜୀ ରାଉତ ପ୍ରମୁଖ ଧାରଣାରେ ବସିବା ସହିତ ଏଭଳି ସମସ୍ୟାର ତୁରନ୍ତ ସମାଧାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ):

Related posts

ବାଲିଯାତ୍ରା ପାଇଁ ଜାରି ରହିଛି ପ୍ଲଟ ବିକ୍ରି

mahabharatanews

ତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ

mahabharatanews

ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ; ସଂକ୍ରମଣକୁ ରୋକିବାକୁ ଔଷଧ ସହ ଟେଷ୍ଟିଂ ଜାରି

mahabharatanews