ପଶ୍ଚିମବଙ୍ଗରେ OBC ସଂରକ୍ଷଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଧାନସଭାରେ ପାରିତ ହୋଇଥିବା ଦୁଇଟି ସଂଶୋଧନ ବିଲ୍ ମାଧ୍ୟମରେ ରାଜ୍ୟର OBC ତାଲିକାର ପୁନର୍ଗଠନ କରାଯାଇଛି। ଏହା ସହିତ ସରକାରୀ ଚାକିରିରେ OBC ସଂରକ୍ଷଣକୁ ପୂର୍ବରୁ ଥିବା ୧୭ ପ୍ରତିଶତରୁ ହ୍ରାସ କରି ୭ ପ୍ରତିଶତ କରାଯାଇଛି। ନୂତନ ବ୍ୟବସ୍ଥା ଅନୁସାରେ OBC ତାଲିକାରେ ମୋଟ ୬୬ଟି ସମ୍ପ୍ରଦାୟ ରହିବେ। ସେଥିମଧ୍ୟରୁ ୫୪ଟି ହିନ୍ଦୁ ସମ୍ପ୍ରଦାୟ ଓ ୧୨ଟି ମୁସଲିମ ସମ୍ପ୍ରଦାୟ ସାମିଲ ଅଛନ୍ତି। ପୂର୍ବରୁ OBC ତାଲିକାରେ ସ୍ଥାନ ପାଇଥିବା ଅନେକ ମୁସଲିମ ଉପ-ସମ୍ପ୍ରଦାୟଙ୍କୁ ଏଥର ବାଦ ଦିଆଯାଇଛି।
ସରକାର ‘ରାଜ୍ୟ ପଛୁଆ ବର୍ଗ କମିଶନ (ସଂଶୋଧନ) ବିଲ୍–୨୦୨୬’ ଏବଂ ‘ପଶ୍ଚିମବଙ୍ଗ ପଛୁଆ ବର୍ଗ (ଅନୁସୂଚିତ ଜାତି ଓ ଜନଜାତି ବ୍ୟତୀତ) ସରକାରୀ ଚାକିରିରେ ସଂରକ୍ଷଣ (ସଂଶୋଧନ) ବିଲ୍–୨୦୨୬’ ପାରିତ କରି ଏହି ପରିବର୍ତ୍ତନ ଆଣିଛନ୍ତି। ଏହା ସହିତ ୧୯୯୩ ମସିହାର ଆଇନରେ ମଧ୍ୟ ସଂଶୋଧନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମଣ୍ଡଳ କମିଶନ ସୁପାରିଶ ପରେ ପଶ୍ଚିମବଙ୍ଗରେ OBC ସଂରକ୍ଷଣ ଆରମ୍ଭ ହୋଇଥିଲା। ପରେ ବାମ ମୋର୍ଚ୍ଚା ସରକାର ଓ ତା’ପରେ ମମତା ବାନାର୍ଜୀଙ୍କ ସରକାର OBC ତାଲିକାରେ ନୂଆ ନୂଆ ଜାତିକୁ ସାମିଲ କରିଥିଲେ। ମମତା ସରକାର ସମୟରେ OBC-A ଓ OBC-B ବର୍ଗ ଅନୁସାରେ ମୋଟ ୧୭ ପ୍ରତିଶତ ସଂରକ୍ଷଣ ଲାଗୁ ଥିଲା ଏବଂ OBC ତାଲିକାରେ ୧୦୮ଟି ସମ୍ପ୍ରଦାୟ ସାମିଲ ଥିଲେ। ଏବେ ନୂଆ ସଂଶୋଧନ ପରେ OBC ତାଲିକାକୁ ପୁନର୍ଗଠନ କରାଯାଇ ଏହାକୁ ୬୬ଟି ସମ୍ପ୍ରଦାୟରେ ସୀମିତ କରାଯାଇଛି। ସରକାରଙ୍କ ଦାବି ଅନୁଯାୟୀ, ଏହି ପରିବର୍ତ୍ତନ ଆଦାଲତଙ୍କ ନିର୍ଦ୍ଦେଶ ଓ ପଛୁଆ ବର୍ଗ କମିଶନଙ୍କ ସୁପାରିଶକୁ ଆଧାର କରି କରାଯାଇଛି।
ଏହି ନିଷ୍ପତ୍ତିକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏକପଟେ ସରକାର ଏହାକୁ ଆଇନସମ୍ମତ ଓ ସ୍ୱଚ୍ଛ ପଦକ୍ଷେପ ବୋଲି କହୁଥିବା ବେଳେ, ଅନ୍ୟପଟେ ବିରୋଧୀ ଦଳ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।
