ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନ ପରେ ଭାରତ ଫେରିଛି ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ ଶରୀର । ଖାର୍କିଭ୍ ସହରରେ ରୁଷ-ୟୁକ୍ରେନ୍ ସେନାର ଯୁଦ୍ଧ ସମୟରେ ପ୍ରାଣ ହରାଇଥିଲେ ଏମ୍ବିବିଏସ୍ ଛାତ୍ର ନବୀନ । ସୂଚନା ଅନୁଯାୟୀ, ନବୀନଙ୍କ ବାପା, ମା ତଥା ପରିବାର ଲୋକେ ପୁଅର ମୃତ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ଶରୀରକୁ ଦେବନଗରୀସ୍ଥିତ ଏସ୍.ଏସ୍. ହସ୍ପିଟାଲକୁ ଡାକ୍ତରୀ ଅଧ୍ୟୟନ ପାଇଁ ଦାନ କରାଯିବ ।

ଏମ୍ବିବିଏସ୍ ନବୀନ ଶେଖରପ୍ପା କର୍ଣ୍ଣାଟକର ହାଭେରି ଜିଲ୍ଲାରେ ରୁହନ୍ତି । ୟୁକ୍ରେନ ଖାର୍କିଭ୍ରେ ଏମ୍ବିବିଏସ୍ର ଶେଷ ବର୍ଷର ଛାତ୍ର ଥିଲେ ନବୀନ । ମୃତ ଶରୀର ଫେରିବା ପରେ ନବୀନଙ୍କ ପିତା ଶଙ୍କରପ୍ପା କହିଛନ୍ତି, ମୃତଦେହ ଫେରି ଆସିଥିବା ଜାଣି ସେ ଖୁସି ବୋଲି କହିଛନ୍ତି । ତାକୁ ଶେଷଥର ପାଇଁ ଦେଖିବାକୁ ପାରିବେ ବୋଲି ପରିବାର ଲୋକ କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ନବୀନଙ୍କ ଗ୍ରାମକୁ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ଶେଖରପ୍ପା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପୁଅ ଡାକ୍ତରୀ ପଢ଼ା ପାଇଁ ୯୭% ମାର୍କ ହାସଲ କରିବା ପରେ ରାଜ୍ୟର ମେଡିକାଲ କଲେଜରେ ନାମଲେଖା ପାଇଁ ସୁଯୋମ ମିଳି ନ ଥିଲା । ଏହି କାରଣରୁ ସେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ୍ ପଳାଇଥିଲା ।
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ସେଠାରେ ମେଡିକାଲ ପଢୁଥିବା ହଜାର ହଜାର ଛାତ୍ରଛାତ୍ରୀ ଦେଶ ଛାଡି ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ନବୀନ ଏବଂ ଅନ୍ୟ ଏମ୍ବିବିଏସ୍ ଛାତ୍ରଛାତ୍ରୀ କିନ୍ତୁ ସେଠାରେ ଫସି ରହି ଯାଇଥିଲେ । ତେବେ ମାର୍ଚ୍ଚ ୧ ତାରିଖରେ ଖାଦ୍ୟ କିଣିବାକୁ ବାହାରକୁ ଆସିଥିବା ସମୟରେ ଋଷ ସେନା ବାହିନୀର ଗୁଳି ମାଡରେ ପ୍ରାଣ ହରାଇଥିଲେ ନବୀନ । ତେବେ କେନ୍ଦ୍ର ସରକାରଙ୍କ ଅନୁରୋଧ ପରେ ଆଜି ଭାରତକୁ ଫେରିଛି ନବୀନଙ୍କ ମୃତଦେହ । ମୃତ୍ୟୁପୂର୍ବରୁ ନିଜ ଅଙ୍ଗଦାନ କରିବେ ବୋଲି ନବୀନଙ୍କ ଇଚ୍ଛା ଥିଲା ।
