(କୋଲକାତା): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ହିଂସା ଜାରି ରହିଛି । ପଶ୍ଚିମବଙ୍ଗରେ ବିକ୍ଷୋଭକାରୀମାନେ ବର୍ତ୍ତମାନ ସୁଦ୍ଧା ୨୫ଟି ବସ ପୋଡି ଦେଇଛନ୍ତି । ଏହା ବ୍ୟତୀତ ୩ଟି ରେଳ ଷ୍ଟେସନ ଏବଂ ୨୦ଟି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏହି କାରଣରୁ ୨୮ଟି ଏକ୍ସପ୍ରେସ ସମେତ ୭୮ଟି ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଛି । ସେହିପରି ଆସାମ ଏବଂ ତ୍ରିପୁରା ସମେତ ଦିଲ୍ଲୀର କିଛି ଅଞ୍ଚଳରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଭଳି ହିଂସାତ୍ମକ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସଙ୍କେତ ମଧ୍ୟ ଦେଇଛନ୍ତି ।
ଡିସେମ୍ବର ମାସ ପରେ ସେ ଏହି ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି ବୋଲି ଝାଡଖଣ୍ଡରେ ଶାହା ଏକ ନିର୍ବାଚନୀ ରାଲିରେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ ଯୋଗୁ କାହାର ସଂସ୍କୃତି, ଭାଷା ଏବଂ ସାମାଜିକ ପରିଚୟ ଓ ରାଜନୈତିକ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ଶାହା ଉତ୍ତର ପୂର୍ବ ରାଜ୍ୟଗୁଡିକର ଲୋକଙ୍କୁ ଭରସା ଦେଇଛନ୍ତି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଓ ତାଙ୍କ ସରକାରର ଅନେକ ମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ଶାହା କହିଛନ୍ତି ।
previous post
next post