ଓଡିଶା

ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ଉପହାର

ଓଡିଶାର ସଡକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଆଜି କେନ୍ଦ୍ର ସରକାର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ୭୬୯ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ସାମାଜିକ ଗଣମାଧ୍ୟମ ‘X’ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ  ମାଝୀ କୃତଜ୍ଞତା ଓ ଧନ୍ୟବାଦ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ବିଶେଷ କରି ରାଜ୍ୟର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ଓଡିଶାରେ ଭିତ୍ତିଭୂମି ଉନ୍ନୟନ ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି (CRIF) ଦ୍ବାରା ଅନୁମୋଦନ ହୋଇଥିବା ଏହି ସବୁ ପ୍ରକଳ୍ପ ଗୁଡିକ ମଧ୍ୟରେ ୫୨.୬୯  କୋଟିରୁ ଅଧିକ ଟଙ୍କାରେ ଝାରସୁଗୁଡା ଜିଲ୍ଲାର ଦଳଗାଁ-ତିଲିଆ ଏବଂ ଚାରପାଲି ଡଙ୍ଗାଘାଟ ରାସ୍ତା ସହ ରାମପେଲା ଆପ୍ରୋଚ୍ ବ୍ରିଜ ନିର୍ମାଣ, ୧୪୬ କୋଟିରୁ ଅଧିକ ଟଙ୍କାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଟା ବେଞ୍ଜ ଛକରୁ ଏମ୍‌କେସିଜି ପର୍ଯ୍ୟନ୍ତ ଫ୍ଲାଇଓଭର, ୧୬୮.୨୬ କୋଟିରୁ ଅଧିକ ଟଙ୍କାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗିରିରୋଡ  ଛକରୁ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଫ୍ଲାଇଓଭର, ୩୮.୪୬ କୋଟିରୁ ଅଧିକ ଟଙ୍କାରେ କୋରାପୁଟ୍ ଜିଲ୍ଲା ସେମିଳିଗୁଡା-ହାଣ୍ଡିପୁଟ ରାସ୍ତା ଉନ୍ନତି କରଣ, ୧୫.୨୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ କୋରାପୁଟ୍ ଜିଲ୍ଲା ଲମ୍‌ତାପୁଟ୍-ମାଛକୁଣ୍ଡ ରାସ୍ତା ଉନ୍ନତିକରଣ, ୩୨.୬୨ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟ୍-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତା ପ୍ରଶସ୍ତିକରଣ, ୪୫.୫୨ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଗଜପତି ଜିଲ୍ଲା ଅଡବା-ପାଣିଗଣ୍ଡା ରାସ୍ତା ପ୍ରଶସ୍ତିକରଣ, ୨୪.୮୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଗଜପତି ଜିଲ୍ଲା ରାମଗିରି-ଜିରାଙ୍ଗ-ନାରାୟଣପୁର ରାସ୍ତା ସୁଦୃଢୀକରଣ, ୬୧.୧୧ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନୂଆପଡା ଜିଲ୍ଲା ଖରିଆର୍‌ ରୋଡ୍-ଆମୋଦୀ-ବେଲଟୁକୁରି ରାସ୍ତା ପ୍ରଶସ୍ତିକରଣ ଏବଂ ୧୮୪.୯୭ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର-ବାଟଗ୍ରାମ-ଚନ୍ଦନେଶ୍ବର ରାସ୍ତା ଉନ୍ନତିକରଣ କାର୍ଯ୍ୟ କରାଯିବ।

ଉପାନ୍ତ ଜିଲ୍ଲାରୁ ନେଇ ଉପକୂଳ ଜିଲ୍ଲା ପର୍ଯ୍ୟନ୍ତ ଏହି ଗୁରୁତ୍ବପୂର୍ଣ୍ଣ ସଡକ ପ୍ରକଳ୍ପ ଗୁଡିକ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବାରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Related posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

mahabharatanews

ମ।।ଲକାନାଗିରି ଗସ୍ତରେ କେନ୍ଦ୍ର ମାଓ ପରାମର୍ଶଦାତା

mahabharatanews

କୋରୋନା ଆତଙ୍କ: ୨୪ ଘଣ୍ଟାରେ ୭୩ ମୃତ୍ୟୁ, ମୃତ୍ୟୁସଂଖ୍ୟ ଛୁଇଁଲା ୫୬୪

mahabharatanews