ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ସ୍ଥଳ ସେନାର ଉପମୁଖ୍ୟର ଦାୟିତ୍ୱ ନେଇଛନ୍ତି ଲେଟେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ମହାନ୍ତି ଲେଟେନାଣ୍ଟ ଜେନେରାଲ ଏସ କେ ସାଇନିଙ୍କଠାରୁ ବିଦ୍ଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମହାନ୍ତି ଜୁନ ୧୨ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ଯୋଗଦେଇଥିଲେ । ସେ ଏହା ପୂର୍ବରୁ ଡେରାଡୁନସ୍ଥିତ ରାଷ୍ଟ୍ରିୀୟ ଭାରତୀୟ ମିଲିଟାରୀ କଲେଜ, ଖଡକୱାସଲା ଜାତୀୟ ସେନା ଏକାଡେମୀ ଓ ଡେରାଡୁନ ଭାରତୀୟ ମିଲିଟାରୀ ଏକାଡେମୀରୁ ଅଧ୍ୟୟନ କରିଥିଲେ ।
ସେ ସେନାରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟସମ୍ପାଦନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବିଭିନ୍ନ ବିବାଦୀୟ କ୍ଷେତ୍ରରେ ମଧ୍ୟ ମହାନ୍ତି ସଫଳତାର ସହ କାର୍ଯ୍ୟ କରିଛନ୍ତି । ସାଇନିଙ୍କ ପରେ ସେ ହେଉଛନ୍ତି ସେନାର ସବୁଠାରୁ ଦକ୍ଷ ଅଧିକାରୀ । ତେଣୁ ତାଙ୍କୁ ଏହି ପଦରେ କିଛି ଦିନ ତଳେ ନିଯୁକ୍ତ କରାଯାଇଥିଲା ଓ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଅର୍ଥାତ୍ ୨୦୨୧ ଜାନୁଆରୀ ୩୧ ତାରିଖରେ ସାଇନି ଭାରତୀୟ ଆର୍ମିର ଉପ ମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି ।