(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତା ଫେରାର ହୋଇ ରାଜସ୍ଥାନକୁ ଆସିଛି। ଏହି ଚିତାକୁ ଦୁଇ ବର୍ଷ ତଳେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଅଣାଯାଇଥିଲା । ଚିତା ରାଜସ୍ଥାନର କରୌଲି ଜିଲ୍ଲାର କରନପୁର ଅଞ୍ଚଳର ସିମରା ଗାଁରେ ପହଞ୍ଚିଯାଇଛି। ଶନିବାର ସକାଳେ କଲରାପତରିଆ ବାଘ ପଶିଥିବା ଖବର ପାଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ସୂଚନାନୁଯାୟୀ , ଜଙ୍ଗଲ ଅଂଚଳରେ ସତର୍କତା ଅବଲମ୍ବନ କରିବା ସହ ଚିତାଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି। ଏହା ମଧ୍ୟପ୍ରଦେଶର କୁନୋ ସଫାରି ପାର୍କରୁ ବୁଲୁଥିବା ବେଳେ କରୌଲିରେ ପହଞ୍ଚିଥିବା ଜଣାଯାଇଛି। ତାକୁ ଧରି କୁନୋ ନିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।