ଭୁବନେଶ୍ୱର : ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି । ଏହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ହୋଇଛି । ଏହି ସମ୍ପର୍କରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଏବଂ କ୍ରମାଗତ ଭାବେ ବର୍ଦ୍ଧିତ ହେଉଥିବା ତୈଳ ଦର ତୁରନ୍ତ ପ୍ରତ୍ୟାହାର ଦାବି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏ.ଆଇ.ସି.ସି. ଅ୍ମକ୍ଷା ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ଅନୁସାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜୁଲାଇ ୭ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଜନଆନ୍ଦୋଳନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ସମସ୍ତ ପେଟ୍ରୋଲ୍ ଟାଙ୍କିରେ କଂଗ୍ରେସ ନେତୃବୃନ୍ଦ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିଥିଲେ ।
ସେହିପରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ୍ ଦାସ ଓ ବ୍ଲକ ସଭାପତିମାନଙ୍କ ନେତୃତ୍ୱରେ ରାଜଧାନୀର ସମସ୍ତ ପେଟ୍ରୋଲ୍ ଟାଙ୍କି ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦମାନେ ସାଧାରଣ ଜନତାଙ୍କ ମତାମତ ଓ ଦସ୍ତଖତ ସଂଗ୍ରହ କରିଥିଲେ । ଆଜି ସପ୍ତାହନ୍ତ ସଟ୍ଡାଉନ୍ ସତ୍ତେ୍ୱ ଦେଖାଯାଇଥିଲା ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳର ବହୁ ଜନସାଧାରଣ, ଯେଉଁମାନେକି ଗ୍ରାହକ ନିଜ ନିଜ ଗାଡ଼ିରେ ପେଟ୍ରୋଲ୍ ଓ ଡିଜେଲ୍ ପକାଇବା ପାଇଁ ତୈଳ ଟାଙ୍କିକୁ ଆସିଥିଲେ, ସେମାନେ ସମସ୍ତେ ସ୍ୱତଃପ୍ରବୃତ୍ତ ଭାବେ ନିଜର ମତାମତ ଦେବାସହ ଦସ୍ତଖତ ଦେଇ ତୈଳ ବୃଦ୍ଧିର ଆନ୍ଦୋଳକୁ ସମର୍ଥନ କରିବା ସହ ତୈଳ ବୃଦ୍ଧିକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ ।
ସେମାନେ କହିଥିଲେ, ତୈଳ ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ଘର ଚଳାଇବା ପାଇଁ ବହୁ ଅସୁବିଧା ହେଉଛି । ଏହି କରୋନା ମହାମାରୀରେ ସରକାରଙ୍କର କଟକଣାକୁ ନେଇ ଆମେ ଜୀବିକା ହରାଇଥିବା ବେଳେ ବା ସ୍ୱଳ୍ପ ବେତନ ପାଉଥିବା ବେଳେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛୁ । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳ ଏବଂ ରନ୍ଧନଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଆମକୁ ବାଧୁଛି ।
previous post
next post