ଓଡିଶା

ସଂଗରୋଧ କେନ୍ଦ୍ରରେ ମିଳୁନି ଆଶ୍ରୟ: ଗଛ ତଳେ ଭୋକ ଉପାସରେ ପ୍ରବାସୀ

ମଧୂସୁଦନ ବହିଦାର/ ବଲାଙ୍ଗୀର: କରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ପ୍ରବାସୀଙ୍କ ପାଇଁ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ବାଧ୍ୟତାମୂଳକ । ଏଥିନେଇ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପ୍ରବାସୀକୁ ସଂଗରୋଧ କେନ୍ଦ୍ରରେ ମିଳୁନି ଆଶ୍ରୟ । ଗାଁ ଲୋକଙ୍କ ବିରୋଧରେ ଗାଁକୁ ମଧ୍ୟ ଯିବା ତା ପାଇଁ ଅସମ୍ଭବ । ଏପରି ସ୍ଥଳେ ଅନେକ ପ୍ରବାସୀ ଅସହାୟ ହୋଇ ଗଛତଳେ ଦିନ କାଟିବାର ଖବର ବିଭିନ୍ନ ସମୟରେ ଗଣମାଧ୍ୟରେ ପ୍ରସାରିତ ହୋଇଛି । କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନି । ଯାହା ଏବେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକର ଖଲିଆପାଲି ପଞ୍ଚାୟତରେ ଦେଖିବାକୁ ମିଳିଛି ।
ଖଲିଆପାଲି ଗ୍ରାମର ଜଣେ ପ୍ରବାସୀ ଚେନ୍ନାଇରୁ ଫେରି ଏବେ ଗଛତଳେ ପଡିରହିଛନ୍ତି । ଗାଁକୁ ଫେରିବା ପରେ କିଛି ଯୁବ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ କ୍ରମେ ସେ ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ଗଲେ । ସେ ତାଙ୍କୁ ସଂଗରୋଧ କେନ୍ଦ୍ରକୁ ଯିବାକୁ ନିର୍ଦ୍ଦେଶ ଦେଲେ। ପଞ୍ଚାୟତ ଅଧିକାରୀଙ୍କ ନିର୍ଦ୍ଦେଶ ମାନି ସେଠାକୁ ଗଲାପରେ କିନ୍ତୁ ଉକ୍ତ ଗ୍ରାମବାସୀ ତାଙ୍କୁ ଧମକ ଚମକ ଦେଇ ସେଠାରୁ ପଳାଇବାକୁ କହିଲେ, ନଚେତ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏହା ପରେ ଅନ୍ୟ ଉପାୟ ନ ପାଇ ନିଜ ପଞ୍ଚାୟତ ସମ୍ମୁଖରେ ଥିବା ଏକ ଗଛ ତଳେ ଭୋକ ଉପାସର ଭାଗ୍ୟକୁ ଆଦରି ପଡିରହିଛନ୍ତି ଏହି ପ୍ରବାସୀ । ଏସମ୍ପର୍କରେ ସରପଞ୍ଚ କିଛି କରି ପାରିବେ ନାହିଁ କହୁଥିବା ବେଳେ ପଞ୍ଚାୟତ ଅଧିକାରୀ ଫୋନ ଉଠାଉ ନାହାନ୍ତି । ଗୋଟିଏ ପଟେ ପ୍ରବାସୀ ଲୁଚି ଛପି ଘରକୁ ଯିବା ଓ ସଂକ୍ରମଣ ବୃଦ୍ଧିକୁ ନେଇ ସରକାର ଚିନ୍ତା ପ୍ରକଟ କରୁଥିବା ବେଳେ ପ୍ରବାସୀକୁ ସଂଗରୋଧରେ ରଖାଯାଉ ନାହିଁ । ଏପରି ସ୍ଥଳେ ପ୍ରବାସୀ କରିବ କଣ? ଯିବ କେଉଁଠିକି ବୋଲି ପ୍ରଶ୍ନ ଉଠୁଛି ।
ଏପଟେ କିନ୍ତୁ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀଙ୍କ ଅପାରଗତା ଯୋଗୁଁ ଆଜି ପ୍ରବାସୀ ଶ୍ରମିକ ଭୋକ ଉପାସରେ ଗଛ ମୂଳରେ ରହିଅଛି ବୋଲି ପ୍ରତିକ୍ରିୟା ରଖିଛନ୍ତି। ଯଦି ଏହି ପ୍ରବାସୀ ଶ୍ରମିକଙ୍କ କିଛି ଅସୁବିଧା ହୁଏ ତେବେ ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି କହିଛନ୍ତି । ସରପଞ୍ଚ କଲେକ୍ଟର ପାୱାର୍ ପାଇଗଲା ଦିନଠୁ ଆଉ କାହାକୁ ଖାତିର୍ କରୁ ନାହାନ୍ତି ବୋଲି ଲୋକେ ମାନେ କହୁଛନ୍ତି ।

Related posts

ମାଲକାନଗିରି ଆଦର୍ଶ ଥାନା ସିଲ୍

mahabharatanews

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

mahabharatanews

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

mahabharatanews