ଓଡିଶା

ଦୋଷୀଙ୍କୁ ମିଳିବ କଡ଼ା ସଜା, ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ରହ୍ମପୁର DFO

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ ଗାଁ ନିକଟସ୍ଥ ପାହାଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଏକ ନିମ୍ବ ଗଛରୁ ଗୋଟିଏ କଲରାପତରିଆ ବାଘର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଘର ମୃତଦେହରେ ଏକ ଲୁହା ତାର ସହ ଏକ ବଡ଼ ପଥର ମଧ୍ୟ ଝୁଲୁଥିବାର ଦେଖିବାକୁ ମିଳିଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ତଥା ଖଲ୍ଲିକୋଟ ବନାଞ୍ଚଳ ଅଧୀନରେ ଥିବା ଜରଡ ଗାଁ ପ୍ରବେଶ ପଥ ପାହାଡ଼ କଡ଼ରେ ଏକ କ୍ରସର ରହିଛି। ସେହି କ୍ରସର ନିକଟରେ ଥିବା ଏକ ନିମ୍ବ ଗଛରେ ବାଘଟି ଝୁଲି ରହିଥିଲା। ଅନୁମାନ କରାଯାଉଛି ଯେ, ନିକଟସ୍ଥ ପାହାଡ଼ରେ ଶିକାରୀମାନେ ବାର୍‌ହା ଶିକାର ପାଇଁ ଲୁହା ତାରର ଜାଲ ବିଛାଇଥିଲେ। ସେହି ତାରରେ ବାଘଟି ଫସିଯାଇଥିଲା। ତାରରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ବାଘଟି ଗଛ ଉପରକୁ ଚଢ଼ି ଯାଇଥିଲା। କିନ୍ତୁ ତାର ସହ ଏକ ଭାରି ପଥର ବନ୍ଧା ହୋଇ ଝୁଲୁଥିବାରୁ ସେ ଆଉ ଓହ୍ଲାଇ ପାରି ନଥିଲା ଏବଂ ଶ୍ୱାସରୁଦ୍ଧ ହୋଇ କିମ୍ବା ଆଘାତ ଯୋଗୁଁ ତାର ସେଠାରେ ହିଁ ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଘଟଣାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ବାଘଟି ଶିକାରୀ ଜାଲରେ ପଡ଼ି ମରିଛି ନା ତାକୁ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଗଛରେ ଝୁଲାଇ ଦିଆଯାଇଛି, ସେନେଇ ସନ୍ଦେହ ପ୍ରକାଶ ପାଇଛି। ବାଘ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଭଳି ଭାବେ ଏକ କଲରାପତରିଆ ବାଘର ମୃତ୍ୟୁ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ସ୍ଥାନୀୟ ଗ୍ରାମବାସୀ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏହି ସମ୍ପର୍କରେ ବ୍ରହ୍ମପୁର ଡିଏଫଓ (DFO) ଶନି ଖଖର ସୂଚନା ଦେଇଛନ୍ତି ଯେ, ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହି ବେଆଇନ ଶିକାର ପଛରେ ଯେଉଁମାନେ ବି ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଲକ୍ ଡାଊନ୍ ଅବମାନନାକାରୀଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠା

mahabharatanews

ଘୋଷଯାତ୍ରା ପ୍ରସ୍ତୁତି : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ବସ ଚଳାଚଳ ପାଇଁ ଜାରି ହେବ ଗାଇଡଲାଇନ:ମନ୍ତ୍ରୀ

mahabharatanews