ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଚି । ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିପର୍ୟ୍ୟୟରେ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ୟ୍ୟକ୍ରମ ହେଉଛି ଆମର ବିପର୍ୟ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ।
ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସୂତ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜ୍ୟୁଅର(ଏସଓପି) ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ୟ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ୍‌ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ୟ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ।

Related posts

ତାତିରେ ଜଳୁଛି ସାରା ଓଡ଼ିଶା, ତାପମାତ୍ରା ୪୧ ଡିଗ୍ରୀ ପାର

mahabharatanews

ସୁନ୍ଦରଗଡରେ ତୃତୀୟ ଲହର ଆରମ୍ଭ

mahabharatanews

ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews