ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବାର ଗୌରବ ଅର୍ଜନ କରିଛନ୍ତି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଶ୍ରୀମତୀ ମୁର୍ମୁ ଏହି ପଦବୀ ହାତେଇବାରେ ସକ୍ଷମ ହୋଇଛନ୍ତି। ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଉପରବେଢା ଗାଁରେ ଜୁନ ୨୦ ତାରିଖ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ସଚିବାଳୟର ଜଳ ସମ୍ପଦ ବିଭାଗର କିରାଣୀ ଚାକିରିରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ଚାକିରି ଛାଡି ଶିକ୍ଷକତା କରିଥିଲେ। ୧୯୯୭ ମସିହାରେ ପ୍ରଥମେ ରାଇରଙ୍ଗପୁର ପୌର ପରିଷଦକୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।
୨୦୦୦ ମସିହାରେ ପ୍ରଥମେ ଓଡି଼ଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ବାର ୨୦୦୪ରେ ମଧ୍ୟ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ଲାଗି ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ। ପରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ଶ୍ରେଷ୍ଠ ବିଧାୟିକା ଭାବେ ଓଡ଼ିଶା ବିଧାସଭାରୁ ୨୦୦୭ରେ ନୀଳକଣ୍ଠ ସମ୍ମାନରେ ସମ୍ମାନିତ ହୋଇଥିଲା। ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ। ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ।