ଓଡିଶା

ବିଶିଷ୍ଟ ସାହିତ୍ୟିକ ବାଉରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କରଙ୍କର ଶୁକ୍ରବାର ସନ୍ଧ୍ୟାରେ ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ସେ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ଏମ୍‌ସ ହସ୍ପିଟାଲକୁ ନେବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କପିଳପ୍ରସାଦସ୍ଥିତ ବାସଭବନରେ ବହୁ ସାହିତ୍ୟିକ, ପ୍ରକାଶକ, ଶୁଭେଚ୍ଛୁ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
୧୯୫୧ ମସିହାରେ ବାଉରୀବନ୍ଧୁ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସ୍ବର୍ଣ୍ଣପଦକ ଲାଭ ପରେ ସେ ଅଧ୍ୟାପନାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏନ୍‌.ସି କଲେଜ ଯାଜପୁର, ଜେକେବିକେ କଲେଜ, ରେଭେନ୍ସା କଲେଜ, ଭଦ୍ରକ କଲେଜ, ଯାଜପୁର କଲେଜ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଭାବେ କାର୍ୟ୍ୟ କରି ସେ ଅବସରଗ୍ରହଣ କରିଥିଲେ। ‘ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ’ ଶୀର୍ଷକରେ ଗବେଷଣା କରି ସେ ପିଏଚ୍‌ଡି ଲାଭ କରିଥିଲେ। ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌, ଏକାଡେମିକ କାଉନସିଲ୍‌, ସିନେଟ୍‌ର ସଦସ୍ୟ ଥିଲେ। ନିଜର ଅନନ୍ୟ ସାରସ୍ବତ ପ୍ରତିଭା ନିମନ୍ତେ ସେ ଏକାଧିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ।
ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ହରପ୍ରିୟା, ପୁତୁରା ସିଦ୍ଧାର୍ଥ କର ପ୍ରମୁଖ ପରିବାରବର୍ଗ ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Related posts

ଗାଁରେ ପହଞ୍ଚିଲା ମରଶରୀର

mahabharatanews

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

mahabharatanews

`୧୩ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ 

mahabharatanews