ଭୁବନେଶ୍ୱର:- ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ନୂଆପଡ଼ା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେଥିପାଇଁ ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।
ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ । ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ । ନୂଆପଡା ଜିଲ୍ଲାରେ ୭୦ ପ୍ରତିଶତ ଆସିବାସୀ ଶ୍ରେଣୀର ଲୋକ ବାସ କରୁଥିବା ବେଳେ ୧ ଲକ୍ଷ ୫ ହଜାର ଭୋଟ ରହିଛି । ଏମାନଙ୍କ ମଧ୍ୟରେ ୧,୨୪,୧୦୮ ପୁରୁଷ, ୧,୨୯,୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ମୋଟ ୨,୫୩,୬୨୪ ଭୋଟର ମତଦାନ ସାବ୍ୟସ୍ତ କରିବେ । ଗତ ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଚିଠା ଭୋଟର ତାଲିକା ଅନୁସାରେ, ଏହି ନିର୍ବାଚନ ମଣ୍ଡଳୀରେ ଯୁବ ଭୋଟରଙ୍କ ଅନୁପାତ ୨.୪୨% ଥିବାବେଳେ ଚୂଡାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୩.୭୨%ରେ ପହଞ୍ଚିଛି । ଚଳିତ ଉପ-ନିର୍ବାଚନରେ ଯୁବ ଭୋଟର ଏକ ପ୍ରକାର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ।