(ଭୁବନେଶ୍ୱର): “ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭ
ନିର୍ବିଘ୍ନେ କୁରୁମେ ଦେବ ସର୍ବ କାର୍ଯ୍ୟ ସୁ-ସର୍ବଦା”
ଆଜି ଭାଦ୍ରବ ଶୁକ୍ଲ ଚତୁର୍ଥୀ, ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ପୂଜା । ଏନେଇ ଉତ୍ସବମୁଖର ହୋଇ ପଡ଼ିଛି ପୁରପଲ୍ଲୀ । ମଠରୁ ମନ୍ଦିର, ଗାଁରୁ ସହର ସବୁଠି ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି । ଆଜି ଶ୍ରୀ ମନ୍ଦିରରେ ମଧ୍ୟ ପାଳିତ ହେଉଛି ଗଣେଶ ପୂଜା । ଗଣେଶ ଚତୁର୍ଥୀକୁ ଦେଶ ବିଦେଶରେ ବେଶ୍ ଧୁମ୍ ଧାମର ସହ ପାଳନ କରାଯାଏ । ହେଲେ କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ । ମହାମାରୀ କରୋନା କାରଣରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨ବର୍ଷ ହେଲା ଗଣେଶ ପୂଜା ହୋଇପାରୁ ନାହିଁ । କେବଳ ପରମ୍ପରା ପାଇଁ ଘରେ ଘରେ ପୂଜା ହେବା ସାଙ୍ଗକୁ ଯେଉଁ କେଉଁଠି ବି ପୂଜା ହେଉଛି କଟକଣା ଭିତରେ ହୋଇପାରୁଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ ।
ଭାରତର ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ବେଶ୍ ନିଡ଼ାମ୍ବର ସହ ପାଳନ କରାଯାଏ । କିନ୍ତୁ ମହାମାରୀ କରୋନା ଯୋଗୁଁ ଫିକା ପଡିଛି ଏହି ପର୍ବ । ଏଥର ବିନା ଭକ୍ତରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ । ମୁମ୍ବାଇରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ୧୦ରୁ ୧୯ ତାରିଖ ଯାଏଁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତା ରହିବ । ସେହିପରି ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମିରେ ବାଲୁକା କଳାକୃତ୍ତି ନିର୍ମାଣ କରିଛନ୍ତି, ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲି ଓ ଶାମୁକା ବ୍ୟବହାର କରି ଏହି କଳାକୃତ୍ତି ନିର୍ମାଣ କରିଛନ୍ତି ସୁଦର୍ଶନ । ଓଡ଼ିଶାର ଜଟଣୀ ଓ କଟକରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ ହୋଇଥାଏ । ହେଲେ ଏଥର ସେହିପରି ଉତ୍ସାହ ଦେଖାଯାଇ ନାହିଁ । ତେବେ ବହୂ ବାଦ୍ଧା ବିଘ୍ନ ପରେ କଟକରେ ଗଣେଶ ପୂଜା ଲାଗି ମଣ୍ଡପ ଗୁଡ଼ିକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି । କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଗଣେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁ ମାନେ କୌଣସି ପେଣ୍ଡାଲକୁ ବୁଲି ଯାଇପାରିବେ ନାହିଁ । ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗଣେଶ ପୂଜା ଅବସରରେ ମହାଭାରତ ଲାଇଭ ତରଫରୁ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା
