(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡଉନ ଆଦି କଟକଣା ବିଭିନ୍ନ ଅଞ୍ଚଳରେ ଲାଗୁ କରୁଥିବା ବେଳେ ଅମାନିଆମାନେ ଏସବୁକୁ ଖାତିର କରୁନାହାନ୍ତି । ଏତେ କଟକଣା ସତ୍ତେ୍ୱ ଜୁଆଡିମାନେ ଏହାକୁ ମାନୁନଥିବା ଦେଖାଯାଇଛି । ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗାଁରେ ସୋମବାର ଅପରାହ୍ନରେ ଜୁଆ ଖେଳରେ ମାତିଥିବା ବେଳେ ପୋଲିସ ସେମାନଙ୍କ ଆଡ୍ଡା ଉପରେ ଅଚାନକ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି । ଏହି ଅଞ୍ଚଳରେ ଲକଡାଉନ କଟକଣା ନମାନି ଜୁଆ ଖେଳ ଚାଲିଥିବା ଖବର ପାଇବା ପରେ ହିଞ୍ଜିଳି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ଏଠାରେ ଚଢାଉ କରିଥିଲା । ଚଢାଉ ସମୟରେ ୫ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪ ହଜାର ୩ଶହ ଟଙ୍କା ଓ ମୋବାଇଲ ଜବତ କରିଛି ।