ଅପରାଧ

ଖୋଲିଲା ୱେବ ସାମ୍ବାଦିକଙ୍କ କଳାକାରନାମା

 

(ଝାରସୁଗୁଡ଼ା): ପ୍ରତାରଣା ଦେଲେ ୱେବ ସାମ୍ବାଦିକ । ପ୍ରଥମେ ଫେସବୁକରେ ପ୍ରେମ ନିବେଦନ, ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଫସାଇଲେ, ପରେ ତାଙ୍କ ଆକାଉଣ୍ଟରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାରେ । ତେବେ ସାମ୍ବାଦିକ ଜଣକ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଲୁଟ କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଦୀପକ ବେହୁରୀ ନାମକ ଜଣେ ସାମ୍ବାଦିକ ଫେସବୁକରେ ବଡ଼ମାଲ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ପରସ୍ପରକୁ ଭଲ ପାଇଥିଲେ । ଏପରି କି ବିବାହ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । ପ୍ରେମିକଙ୍କ ଠାରୁ ଏଭଳି ପ୍ରତିଶୃତି ପାଇ ପ୍ରେମିକା ଜଣକ ନିଜ ଘରୁ ଖସି ପଳାଇ ଆସିଥିଲେ । ପରେ ଯୁବତୀ ଓ ଦୀପକ ଏକା ସାଙ୍ଗରେ ବୁଲିବା ସମୟରେ ଯୁବତୀଙ୍କ ଆକାଉଣ୍ଟରୁ ଦୀପକ ଅଢ଼େଇ ଲକ୍ଷ ଟଙ୍କା ନିଜ ପତ୍ନୀଙ୍କ ଆକାଉଣ୍ଟକୁ ଟାନ୍ସଫର କରିଥିଲେ । ପରବର୍ତ୍ତୀ ସମୟରେ ଦୀପକ ବିବାହିତ ଓ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି ବୋଲି ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏପରି ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା କଥା ମଧ୍ୟ ଜାଣିବାକୁ ପାଇଥିଲେ ଯୁବତୀ ।
ଦୀପକଙ୍କ ସମ୍ପର୍କରେ ଏପରି ସାଙ୍ଘାତିକ ତଥ୍ୟ ପାଇବା ପରେ ଯୁବତୀ ଜଣକ ଦୀପକ ନିକଟରୁ ଖସିବା ପାଇଁ ସୁଯୋଗ ଖୋଜୁଥିଲେ । ସୁଯୋଗ ମିଳିବା କ୍ଷଣି ଯୁବତୀ ଜଣକ ନିଜ ମା’ଙ୍କ ପାଖକୁ ଯାଇ ସବୁ ଘଟଣା ଜଣାଇଥିଲେ । ତେବେ ତାଙ୍କ ମା’ ପୋଲିସରେ ଏ ନେଇ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏ ସମ୍ପର୍କରେ ଖବର ପାଇ ଚମ୍ପଟ ମାରିଛି ଅଭିଯୁକ୍ତ ଦୀପକ । ଅନେକ ଚେଷ୍ଟା ସତ୍ତେ୍ୱ ପୋଲିସ ଦୀପକକୁ ଧରିବାରେ ବିଫଳ ହୋଇଥିଲା ।
ମାତ୍ର ଆଜି ସୁନ୍ଦରଗଡ଼ର ଦର୍ଲିପାଲିରୁ ଦୀପକକୁ ଗିରଫ କରିଛି ପୋଲିସ । ଏଥି ସହିତ ଦୀପକ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related posts

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଅଳିଆ ଗଦାରୁ ଶିଶୁକନ୍ୟା ଉଦ୍ଧାର

mahabharatanews