୫୧ରୁ ଊର୍ଦ୍ଧ ନେତା ଦେଇପାରନ୍ତି ଇସ୍ତଫା
ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଥିଲେ। ବର୍ତ୍ତମାନ ଜାମ୍ମୁ କାଶ୍ମୀର କଂଗ୍ରେସର ୫୧ ଜଣ ନେତା କଂଗ୍ରେସ ଛାଡି ଗୁଲାମ ନବୀ ଆଜାଦଙ୍କ ଗ୍ରୁପରେ ଖୁବ ଶିଘ୍ର ସାମିଲ ହୋଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସଚନା ମିଳିଛି। ତେବେ ଜାମ୍ମୁ ଓ କାଶ୍ମୀରର କଂଗ୍ରେସ ରାଜନୀତିରେ ବଡ ଚେହେରା କୁହାଯାଉଥିବା ଗୁଲାମ ନବୀଙ୍କ ରାସ୍ତା ଆପଣାଇବାକୁ ମନସ୍ଥିର କରିସାରିଛନ୍ତି। ଏମାନେ ସମସ୍ତେ କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମଙ୍କ ଗ୍ରୁପରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଇଛି। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତର ଚାନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ୱାନି, ମନୋହର ଲାଲ ଶର୍ମାଙ୍କ ସମେତ ୫୧ରୁ ଅଧିକ ନେତା ଖୁବଶିଘ୍ର କଂଗ୍ରେସର ହାତ ଛାଡିପାରନ୍ତି। କଂଗ୍ରେସ ଛାଡିବା ପରେ ଆଜାଦଙ୍କ ନୂଆ ଦଳରେ ସାମିଲ ହେବେ। ଶ୍ରୀ ଆଜାଦ ଦଳ ଛାଡିବା ପରଠାରୁ ବର୍ତ୍ତମାନ ସୁଦ୍ଧା ୬୪ ନେତା ଦଳ ଛାଡି ସାରିଲେଣି।
ଗାନ୍ଧୀ ପରିବାରର ଖାସ ଅନୁଗତ ଭାବେ ଜଣାଶୁଣା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରରୁ ଇସ୍ତଫା ଦେଇଛନ୍ତି। ବିଭିନ୍ନ ଦଳୀୟ ପଦ ପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିକଟରେ ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ୭୩ ବର୍ଷିୟ ଶ୍ରୀ ଆଜାଦ କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ଦୁଇଟି ଟର୍ମରେ ୧୯୮୦ ରୁ ୧୯୮୯ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ରହିଥିଲେ। ଏହା ପରେ କଂଗ୍ରେସ ଟିକେଟରେ ୧୯୯୬ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପୁଣିଥରେ ୨୦୦୯ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୟୁପିଏ ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ୨୦୨୨ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।