ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକ । ବନ୍ଧୁକ ନେଇ ସ୍କୁଲ ଯାଉଥିଲେ ନବମ ଶ୍ରେଣୀ ଛାତ୍ର । କ୍ଲାସ ଚାଲିଥିବା ବେଳେ ପକେଟରୁ ବାହାରିଲା ବନ୍ଧୁକ । ଗରଦପୁର ବ୍ଲକ ଅଧୀନ କୁଦାନଗରୀ ଥାନା ଅନ୍ତର୍ଗତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଛି । ବିଦ୍ୟାଳୟର ଜଣେ ଛାତ୍ର ପ୍ୟାଣ୍ଟ ପକେଟରେ ବନ୍ଧୁକ ରଖିଥିବା ବେଳେ ଶିକ୍ଷକ ବନ୍ଧୁକ ଜବତ କରିଛନ୍ତି । ପରେ ଏନେଇ ପୋଲିସକୁ ଖବର ଦେବା ପରେ, କୁଦାନଗରୀ ଥାନା ପୋଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହ ଛାତ୍ରଙ୍କୁ ଅଟକ ରଖି ତଦନ୍ତ କରୁଛି । ପ୍ରାରମ୍ଭିକ ତଥ୍ୟ ଅନୁସାରେ ଏହି ବନ୍ଧୁକ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରୁ ଆଣାଯାଇଥିବା ଜଣାପଡ଼ିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।
ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ଯଦି ଅସ୍ତ୍ର ପ୍ରବେଶ କରୁଛି, ତେବେ ଏହା କେବଳ ଆଇନ-ଶୃଙ୍ଖଳା ନୁହେଁ, ସମାଜର ଭବିଷ୍ୟତ ପାଇଁ ଗଭୀର ଆଶଙ୍କା। ଏହି ଘଟଣା ପଛରେ ଥିବା ନେଟୱାର୍କକୁ ମୂଳରୁ ଧ୍ୱଂସ କରିବା ପାଇଁ କଠୋର ପଦକ୍ଷେପ ଆବଶ୍ୟକ କ୍ଷ ଅଭିଭାବକ, ଶିକ୍ଷକ ଓ ପ୍ରଶାସନ ସମସ୍ତେ ଏକତ୍ରିତ ହୋଇ ଏପରି ଘଟଣାକୁ ରୋକିବା ଆବଶ୍ୟକ । କୁଦାନଗରୀ ଥାନା ପୋଲିସ ଖବର ପାଇ କୋରୁଆ ପିଏମ୍. ଶ୍ରୀ ବିଦ୍ୟାଳୟରେ ପଶିବା ସହ ବନ୍ଧୁକକୁ ଜବତ କରିଛି । ତେବେ କେଉଁ ପରିସ୍ଥିତିରେ ନବମ ଛାତ୍ର ବନ୍ଧୁକ ନେଇ ବିଦ୍ୟାଳୟକୁ ଆସିଥିଲେ ସେ ଦିଗକୁ ନେଇ କୁଦାନଗରୀ ଥାନା ପୋଲିସ ଛାନଭିନ୍ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
