(ଅହମ୍ମଦାବାଦ): ଗୁଜୁରାଟର ପଟିଦାର ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ହାଜର ହୋଇ ନଥିଲେ । ଏଥିପାଇଁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ବିରମଗାମ ନିକଟରୁ ଗିରଫ କରିଛି । ଗିରଫ ପରେ ତାଙ୍କୁ ଜାନୁଆରୀ ୨୪ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ମାମଲାର ଶୁଣାଣି ବେଳେ ଅହମ୍ମଦାବାଦ ଟ୍ରାଏଲ କୋର୍ଟରେ ହାଜର ନହେବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜରି କରାଯାଇଥିଲା । ୨୦୧୫ରେ କ୍ରାଇମବ୍ରାଞ୍ଚ ତାଙ୍କ ନାଁରେ ଦେଶଦ୍ରୋହ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା । ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ପାଇଁ ଚାଲିଥିବା ଆନ୍ଦୋଳନ ବେଳେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ଅଭିଯୋଗ ହୋଇଛି । ତେବେ ହାର୍ଦ୍ଦିକ ନିଜ ନାଁରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଉତ୍ତେଜନାପୂର୍ଣ୍ଣ କୌଣସି ବୟାନ ଦେବାର ପ୍ରମାଣ ନଥିବା କହିଛନ୍ତି । ସୂଚନାଯୋଗ୍ୟ, ହାର୍ଦ୍ଧିକଙ୍କୁ ପୂର୍ବରୁ ଏହି ମାମଲାରେ ଗିରଫ କରାଯାଇଥିଲା । ୨୦୧୫ ଅଗଷ୍ଟ ୨୫ରେ ଅହମ୍ମଦାବାଦରେ ପଟେଲ ସମ୍ପ୍ରଦାୟର ରାଲିରେ ହୋଇଥିବା ହିଂସାକାଣ୍ଡ ପରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ।
previous post
next post