ଅପରାଧଓଡିଶା

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର

ଘରୋଇ କଳହକୁ କେନ୍ଦ୍ର କରି ଏକ ଭୟାବହ ହତ୍ୟାକାଣ୍ଡ ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ୧୨ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛି। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ରମେନ ସରକାରଙ୍କ ଘରର ଗ୍ରୀଲ୍ ଭାଙ୍ଗି ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରିଥିଲା। ପରେ ରମେନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ସ୍ତ୍ରୀ ଓ ପୁଅ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ରମେନ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ପୁଅକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ରମେନଙ୍କ ପଡ଼ୋଶୀ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଘରୋଇ କଳହରୁ ଏଭଳି ଜଘନ୍ୟ ଘଟଣା ଘଟିଥିବା କୁହାଯାଉଥିଲେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଏସଡିପିଓ ପ୍ରଦୋଷ ପ୍ରଧାନ ଓ ଓରକେଲ ଥାନାଧିକାରୀ ରିଗାନ କିଣ୍ଡୋ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଓରକେଲ ପୁଲିସ ତାକୁ ଗିରଫ କରିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିବା ନେଇ ସୂଚନା ରହିଛି। ପୁଲିସର ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ।

Related posts

କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

mahabharatanews

CNBT ରେ ଖୋଲିଲା ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର

mahabharatanews

ବୃଦ୍ଧା ହତ୍ୟା ଘଟଣାରେ ୨ ଗିରଫ

mahabharatanews