ଶ୍ରୀନଗର: ମହାମାରୀ କରୋନା ଭାଇରସ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ମାର୍ଚ୍ଚ ୩୧ ଯାଏ ପୂରା ରାଜ୍ୟରେ ଲକ ଡାଉନ ଘୋଷଣା କରିଛି । ସେହିପରି ସବୁ ରାଜ୍ୟର ସରକାରଙ୍କୁ ଜେଲରେ ଥିବା କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି । ଏସବୁ ଭିତରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଅଟକ ଥିବା ରାଜନୀତିଜ୍ଞ ବ୍ୟକ୍ତିବିଶେଷଙ୍କୁ ଖଲାସ କରିବାକୁ ଦାବି ହୋଇଛି । ଅଗଷ୍ଟ ୪ରୁ ଅଟକ ଥିବା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସହ ଅନ୍ୟ ଅଟକ ଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆଜି ମୁଫତିଙ୍କ ଝିଅ ଇଲତିଜା ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ଜିସି ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ଉପରାଜ୍ୟପାଳଙ୍କୁ ଇଲତିଜା ଚିଠିରେ ଲେଖିଛନ୍ତି ଯେ ଅଗଷ୍ଟ ୫ରୁ ମୋ ମା’ ମେହେବୁବା ମୁଫତିଙ୍କ ସମେତ ଶତାଧିକ ଲୋକ ଅଟକ ରହିଛନ୍ତି । ଭାରତ ସମେତ ସାରା ବିଶ୍ୱ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି । କରୋନା ଷ୍ଟେଜ-୩ରେ ପ୍ରବେଶ କରିଗଲେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବ ।
ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ୪ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବିବାର ଆଶଙ୍କା ରହିଛି । ଆଇସୋଲେସନ ହିଁ ଏହି ଭାଇରସକୁ ରୋକିବାର ଏକ ମାତ୍ର ମାଧ୍ୟମ । ଅତ୍ୟଧିକ ଲୋକ ଓ ମେଡିକାଲ ସୁବିଧା ଠିକ ଭାବେ ନ ମିଳୁଥିବାରୁ ଏହା ଅଟକଧାରୀଙ୍କ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇପାରେ । ବିଶେଷ କରି ୬୫ ବର୍ଷୀୟ ବୟସ୍କଙ୍କ ପାଇଁ ଆହୁରି ବିପଦ ଆଣିବ । ସ୍ଥିତିକୁ ଦେଖି ଆମେରିକା ଅଟକଧାରୀଙ୍କୁ ଛାଡ଼ କରୁଛି । ତେଣୁ ଉପରାଜ୍ୟପାଳ ତୁରନ୍ତ ମୋ ମା’ଙ୍କ ସମେତ ଅନ୍ୟ ଅଟକଧାରୀଙ୍କୁ ଛାଡ଼ିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଇଲତେଜା ଅନୁରୋଧ କରିଛନ୍ତି ।