ରାଜନୀତି

୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ :ଜୟନାରାୟଣ

ଭୁୁବନେଶ୍ୱର(ହରପ୍ରସାଦ ବିଷୋଇ):-ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି , ଫସଲ ହେବ, ୨୦୨୪ରେ ଫସଲ କାଟିବୁ ।  ।  ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଓଡ଼ିଶା ଫେରି କିଛି ଏମିତି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଉ ଜୟନାରାୟଣଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଛି । ବିଜେପିର ଫାୟାର ବ୍ରିଗେଡ ନେତା ଭାବେ ଜଣାଶୁଣା ଜୟନାରାୟଣ ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଜୟନାରାୟଣଙ୍କ ଭେଟଘାଟ ।

ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ଜୟନାରାୟଣ । ଆଉ ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ମିଳିଛି ସହଯୋଗର ପ୍ରତିଶ୍ରୁତି । ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତିକୁ ବାଏଁ ବାଏଁ ଉଡାଇଦେଇଛି ବିଜେଡି । ଦଳର ବିଧାୟକ ସରୋଜ ମେହେର କହିଛନ୍ତି, ୨୦୧୯ରେ ମଧ୍ୟ ମିଶନ ୧୨୦ ସ୍ୱପ୍ନ ଦେଖିଥିଲେ, ଫଳାଫଳ କଣ ହେଲା । ୨୦୨୪ ପାଇଁ କେବଳ ବାହାସ୍ପୋଟ ମାରିବା ସହ ଦିବାସ୍ୱପ୍ନ ଦେଖୁଛି ବିଜେପି ।

ନବୀନ ପଟ୍ଟନାୟକଙ୍କ ଉପରେ ହିଁ ରାଜ୍ୟବାସୀଙ୍କ ଆଶା  ଓ ବିଶ୍ୱାସ ରହିଛି ।ଜୟନାରାୟଣଙ୍କ ଦମ୍ଭୋକ୍ତିକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି  କହିଛନ୍ତି, ସାର କିଏ ବୁଣିବ ଓ ଧାନ କିଏ କାଟିବ ତାହା ୨୦୨୪ରେ ଜଣାପଡିବ । ଧାନ ଗଛ ତ ରହିବନି, ବିଜେପି ଧାନ କଣ କାଟିବ? ଏଭଳି ତୁ ତୁ ମେଁ ମେଁ ଭିତରେ ୨୦୨୪ ପାଇଁ ଏବେଠୁ କମର କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । କଂଗ୍ରେସ ଓଡ଼ିଶାରେ ଭାରତ ଯୋଡ ଯାତ୍ରା କରି ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଅନ୍ୟପଟେ ଶାସକ ବିଜେଡି ଓ ବିରୋଧୀ ବିଜେପି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତୁଙ୍ଗ ନେତାଙ୍କୁ ଗୁରୁଦାୟିତ୍ୱ ଦେଇ  ସଙ୍ଗଠନକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରି ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି।

Related posts

୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା

mahabharatanews

ଶାହାଙ୍କ ମନ୍ତବ୍ୟରେ ମମତାଙ୍କ କଡା ଜବାବ୍…

mahabharatanews

୨ୟ ବବି ଦାସ !

mahabharatanews