(ଜଳେଶ୍ବର/ଅଜିତ କୁମାର ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ସୁବର୍ଣ୍ଣରେଖା ଓ ଜଳକା ନଦୀର ପ୍ରଳୟଙ୍କାରୀ ବନ୍ୟାରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି । ଏଥିରେ ଉଭୟ ମଣିଷ ଓ ପଶୁ ଦୁହେଁ ପ୍ରଭାବିତ ହୋଇଛନ୍ତି । ଲୋକ ମାନଙ୍କ ଘର ସହିତ ଗୁହାଳ ମାନଙ୍କରେ ବନ୍ୟା ପାଣି ପଶି ଘର ଓ ଗୁହାଳ ଭାଙ୍ଗି ନଷ୍ଟ ହୋଇଯିବାରୁ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଉଭୟ ମଣିଷ ଏବଂ ପଶୁ । ମାତ୍ର ମଣିଷ ମାନଙ୍କ ଠାରୁ ପଶୁ ମାନଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି। ମଣିଷଙ୍କ ପ୍ରତି ନେତା, ମନ୍ତ୍ରୀ ଠାରୁ ପ୍ରଶାସନ ଯାଏ ସମସ୍ତେ ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ସହିତ ରିଲିଫ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ କଥା କହି ପାରୁନଥିବା ପଶୁ ଯଥା ଗାଈ,ଗୋରୁ, ମେଣ୍ଢା, ମଇଁଷି, ଛେଳି ପରି ପଶୁ ମାନଙ୍କ କଥା ସମସ୍ତେ ଭୁଲି ଯାଉଛନ୍ତି । ଚାଷୀ ମେସିନରେ ଧାନ ଅମଳ କରିବା ଫଳରେ ନଡ଼ା ଜମିରେ ପଡି ନଷ୍ଟ ହୋଇଯାଉଛି । ଫଳରେ ସେମାନେ ଖାଇବାକୁ ନପାଇ ଭୋକରେ ରହୁଛନ୍ତି । ଅନ୍ୟପଟେ ବନ୍ୟା ଦ୍ବାରା ଘାସ ପଚି ସଢ଼ି ଯିବା ସହିତ ଘାସ ଉପରେ ପଟୁ ପଡ଼ିଯାଇଥିବାରୁ ଗାଈ ଗୋରୁ ଖାଇବାକୁ ପାଉନାହାନ୍ତି। କେତେବେଳେ ଭୋକର ଜ୍ୱାଳା ସହି ନ ପାରି ପାଣି ଭିତରେ ପଶି ଯାଇ କାଦୁଆ ମିଶା ପଚାଘାସ ଖାଇବାକୁ ଚେଷ୍ଟା କରୁଛନ୍ତି । ସମସ୍ତେ ମଣିଷ ମାନଙ୍କ ପାଇଁ ଚିନ୍ତା କରୁଥିବା ବେଳେ ଏଇ ନିରୀହ ପଶୁ ଗାଈ ଗୋରୁ ମାନଙ୍କୁ କାହିଁକି ଏତେ ହତାଦର କରାଯାଉଅଛି। ଏମାନଙ୍କ ପାଇଁ ଉଚିତ ବ୍ୟବସ୍ଥା କରିବା ସହିତ ଗୋଖାଦ୍ୟ ଯୋଗାଇ ଦେବାକୁ ବାଲିଆପାଳ ଗୋମାତା ସୁରକ୍ଷା ସମିତିର ଆବାହକ ତଥା ସମାଜସେବୀ ମାନସ ଦାବୀ କରିଛନ୍ତି।
previous post
