ଭୁବନେଶ୍ୱର;ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ବିଧାୟକ ପାଣ୍ଠିର ବୃଦ୍ଧି କରଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି କରିଛନ୍ତି । ଅନ୍ୟପଟେ ବିଧାୟକ ମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାର କାର୍ଯ୍ୟକାରୀ ହେବା ନେଇ ଅଧିକାରୀଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ, ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି ।
ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରଯାଉ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଯେହେତୁ ପଡୋଶୀ ରାଜ୍ୟ ମାନଙ୍କରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ ୩ କୋଟି ରୁ ୧୦ କୋଟିକୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ଯେ, ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ୟ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରଯାଉ ।ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ ।
ସମୟ ଆସିଲେ ବିଚାର କରାଯିବ । ୨୦୨୦-୨୧ ରେ ବିଧାୟକ ପାଣ୍ଠି ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଥିଲା । ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୨ କୋଟି ଥିବା ବେଳେ ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ରରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ୫ କୋଟି ରହିଛି । ସେପଟେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାୟକ ମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଏହା କିପରି କାର୍ୟ୍ୟକାରୀ ହେବ ସେ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଅ । ଏ ନେଇ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।