ନୂଆଦିଲ୍ଲୀ: ସୋମବାର ରାତିରେ ଚୀନା ସୀମାନ୍ତରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି । ଯଥା ଶୀଘ୍ର ଉତ୍ତେଜନା ହ୍ରାସ ପାଇଁ ସହମତି ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ । ଏହି ଆଲୋଚନା ଅବସରରେ ଚୀନ ବିଦେଶ ମନ୍ତ୍ରୀ ଓଲଟା ଭାରତୀୟ ସେନାକୁ ସମସ୍ତ ଘଟଣା ପାଇଁ ଦାୟୀ କରିଛନ୍ତି । ଯେଉଁମାନେ ଏହି ବିବାଦ ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଚୀନ ଦାବି କରିଛି । ଭାରତୀୟ ପକ୍ଷ ଗଲଓ୍ଵାନକୁ ନେଇ କରାଯାଇଥିବା ପୂର୍ବ ସହମତିକୁ ବଳପୂର୍ବକ ବଦଳେଇବାକୁ ଚେଷ୍ଟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।ତେବେ ଭାରତର ବିଦେଶ ମନ୍ତ୍ରୀମଧ୍ୟ ଏହାର ସିଧା ଜବାବ ଦେଇଥିଲେ । ଚୀନର ଯୋଜନାବଦ୍ଧ କାର୍ୟ୍ୟ ଯୋଗୁଁ ହିଂସାକାଣ୍ଡ ହେଲା ବୋଲି ସେ କହିଛନ୍ତି ।
ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।
previous post
next post