ମୁମ୍ବାଇ: ଟିଭିର ଲୋକପ୍ରିୟ ଶୋ ‘ତାରକ ମେହେତା କା ଉଲଟା ଚଷମା’ ଏବେ ପୁଣି ଚର୍ଚ୍ଚରେ । ଏଥର କମେଡି ପାଇଁ ନୁୁହେଁ ବରଂ ଏକ ସଙ୍ଗୀନ ଅଭିଯୋଗକୁ ନେଇ ଏହି ଧାରାବାହିକ ଏବେ ଚର୍ଚ୍ଚାକୁ ଆସିଛି।ଧାରାବାହିକରେ ରୋଶନ ସିଂ ସୋଡିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରି ଧାରାବାହିକର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ନିର୍ୟାତନାର ଅଭିଯୋଗ ଆଣି ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛନ୍ତି। ଅସିତ କୁମାର ମୋଦୀଙ୍କ ବ୍ୟତୀତ ଏହି ଅଭିନେତ୍ରୀ ପ୍ରୋଜେକ୍ଟ ମୁଖ୍ୟ ସୋହେଲ ରମାନି ଏବଂ କାର୍ୟ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି।
ଜେନିଫର ମିସ୍ତ୍ରିଙ୍କ ଅଭିଯୋଗ ମୁତାବକ ପ୍ରଥମେ ମରେ ପ୍ରଶଂସା ଅସିତଜୀ କରୁଥିଲେ। ମୁଁ ସୁନ୍ଦର ଦେଖାଯାଉଛି ବୋଲି କହୁଥିଲେ। ଦିନେ ମତେ ପଚାରିଥିଲେ କ’ଣ ପିଇବାକୁ ପସନ୍ଦ କର ମୁଁ କହିଥିଲି ହ୍ବିସ୍କି ପିଇବାକୁ ପସନ୍ଦ କରେ । ୨୦୧୯ରେ ପୂରା ଟିମ୍ ସିଙ୍ଗାପୁର ଯାଇଥିବା ବେଳେ ସେ ମୋତେ ତାଙ୍କ ହୋଟେଲ ରୁମକୁ ହ୍ବିସ୍କି ପିଇବାକୁ ଡାକିଥିଲେ। ମୁଁ ମନା କରିବାରୁ ପରଦିନ ସେ ମୋତେ କହିଥିଲେ, ଆଜି ତୁମେ ସୁନ୍ଦର ଲାଗୁଛ। ଇଚ୍ଛା ହେଉଛି ତୁମକୁ ଆଲିଙ୍ଗନ କରି ଚୁମ୍ବନ ଦେଇଦେବି। ଏହା ଶୁଣି ମୁଁ ଥରିବାକୁ ଲାଗିଥିଲି। ମୁଁ ଏଭଳି ମନା କରିବାରୁ ସ୍କ୍ରିନସ୍ପେସ କମେଇ ଦେିଇଥିଲେ ।ଛୁଟି ମାଗିଲେ ଛୁଟି ଦେଉ ନଥିଲେ । ଚଳିତ ବର୍ଷ ମାର୍ଚ୍ଚ ୬ରେ ମୁଁ ଛୁଟି ମାଗିବାରୁ ମୋତେ ସୋହେଲ ରମାନି ଅପମାନିତ କରିଥିଲେ। ଏହି କାରଣରୁ ମୁଁ ଧାରାବାହିକ ଛାଡ଼ି ଏବେ ସେମାନଙ୍କ ବିରୋଧରେ ଅଭିଯୋଗ କରିଛି।
