ଚଣ୍ଡିଗଡ଼: କୋଭିଡ-୧୯କୁ ପ୍ରତିହତ କରିବାକୁ ରବିବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ବାକି ସବୁ କ୍ଷେତ୍ରରେ ଲକଡାଉନକୁୁ କାର୍ଯ୍ୟକ୍ଷମ କରିଛନ୍ତି ଅମରିନ୍ଦର ସରକାର । ଖୁବ୍ ଶୀଘ୍ର ଏଥିପାଇଁ ବିଧିବଦ୍ଧ ଆଦେଶନାମା ଜାରି ହେବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।
କରୋନା ଭୂତାଣୁ ସଂକ୍ରମଣ ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିବା “ଜନତା କର୍ଫ୍ୟୁ”ଯୋଗୁଁ ରବିବାର ଦିନ ପଞ୍ଜାବ, ହରିୟାଣା ଏବଂ ରାଜଧାନୀ ଚଣ୍ଡିଗଡ଼ରେ ରାସ୍ତା ଓ ସର୍ବସାଧାରଣ ସ୍ଥାନ ଜନଶୂନ୍ୟ ହୋଇଯାଇଛି । ରାସ୍ତା ଘାଟରେ ଗାଡ଼ିମଟର ଚଳାଚଳ କରୁ ନାହିଁ । ସହରର ଟ୍ରାନସପୋର୍ଟ ଲାଇଟ୍ ପଏଣ୍ଟ୍, ଟ୍ରିବ୍ୟୁନ୍ ଚୌକ୍ ଏବଂ ସେକ୍ଟର୍ ୪୩ରେ ଥିବା ଇଣ୍ଟର୍ ଷ୍ଟେଟ୍ ବସ୍ ଟର୍ମିନାଲ୍ ଭଳି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଫାଙ୍କା ରହିଛି । ଲୋକପ୍ରିୟ ସ୍ଥାନ ସୁଖନା ହ୍ରଦ ଏବଂ ସେକ୍ଟର୍ ୧୭ ପ୍ଲାଜା ମଧ୍ୟ ପୂରା ନିକାଞ୍ଚନ ରହିଛି । ପଞ୍ଜାବରେ ୧୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା କଥା ଶନିବାର ଦିନ ଜଣାପଡ଼ିବା ପରେ ରାଜ୍ୟ ସରକାର ଲକଡାଉନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବରୁ ପଞ୍ଜାବରେ କରୋନା ଦ୍ୱାରା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।