(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ଲକଡାଉନର ପରଠାରୁ ବାହାର ରାଜ୍ୟର ଓଡ଼ିଆ ଘରକୁ ଫେରୁଥିବା ବେଳେ ରାଜ୍ୟର ଶ୍ରମିକ କାମ ନ ପାଇ ହତାଶ ହୋଇ ବସିଛନ୍ତି । କାମ ଅଭାବରୁ ଭୋକ ଉପାସରେ ଦିନ କାଟୁଥିବା ପାରାଦ୍ୱୀପର ‘ମ୍ୟାକନେଲ କମ୍ପାନୀ’ର ଶ୍ରମିକମାନେ ଏଭଳି ଅଭିଯୋଗ ଆଣିଛନ୍ତି । କମ୍ପାନୀଟି ପାରାଦ୍ୱୀପ ତୈଳ ବିଶୋଧନାଗାରରେ ପଲିମର ଉତ୍ପାଦନର କାମ କରିଥାଏ । ଏଠାରେ କାର୍ଯ୍ୟରତ ପ୍ରାୟ ୫୦ ଶ୍ରମିକ ପୂର୍ବରୁ ଗୁଜୁରାଟରେ ରହି କାମ କରୁଥିବା ବେଳେ କମ୍ପାନୀ ପାରାଦ୍ୱୀପ ଆସିବା ପରେ ମଧ୍ୟ କାମ ଜାରି ରଖିଥିଲେ । ତେବେ ମହାମାରୀ କରୋନା ପାଇଁ ସାରା ଦେଶ ଲକଡାଉନ ଘୋଷଣା ହେବା ପରଠାରୁ କମ୍ପାନୀ ମଧ୍ୟ ବନ୍ଦ ହୋଇଥିଲା । କିନ୍ତୁ ଲକଡାଉନ କୋହଳ ହେବା ପରେ ସବୁ କମ୍ପାନୀର ଶ୍ରମିକମାନେ ନିଜ ନିଜ କାମରେ ଯୋଗ ଦେଇଥିଲେ । ତେବେ ମ୍ୟାକନେଲ କମ୍ପାନୀର ଶ୍ରମିକଙ୍କ ପାଇଁ କମ୍ପାନୀ ଦୁଆର ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଶ୍ରମିକମାନଙ୍କ ଅଭିଯୋଗ ମୁତାବକ, ଲକଡାଉନ ପରେ କମ୍ପାନୀ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡାକିଥିଲେ ହେଁ କାମ ଦେଇ ନଥିଲା । କମ୍ପାନୀରେ କାମ କରୁଥିବା ଖୋର୍ଦ୍ଧା ଓ ପୁରୀର ୫୦ ଶ୍ରମିିକ ଏବେ କାମ ଅଭାବରୁ ହାତ ବାନ୍ଧି ବସିଥିବା କହିଛନ୍ତି । ସେମାନଙ୍କ କହିବାନୁଯାୟୀ, ଲକଡାଉନ କଟକଣା କୋହଳ ହେବା ପରେ ଶ୍ରମିକ ମାନେ କମ୍ପାନୀକୁ ଯୋଗାଯୋଗ କରିବାରୁ କଟକ ବଡ ଡାକ୍ତରଖାନାରୁ କରୋନା ଟେଷ୍ଟ ସମ୍ପର୍କିତ ପ୍ରମାଣ ପତ୍ର ଏବଂ ସରପଞ୍ଚଙ୍କ ଠାରୁ ପ୍ରମାଣ ପତ୍ର ଆଣି ଆସିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । କମ୍ପାନୀ ଅଧିକାରୀଙ୍କ ଏହି ନିୟମାବଳୀକୁ ମାନି ଶ୍ରମିକ ମାନେ ମେଡିକାଲ ପ୍ରମାଣ ପତ୍ର ଓ ନିଜର ଗେଟପାସ ସହ କମ୍ପାନୀ କାର୍ୟ୍ୟାଳୟରେ ପହଞ୍ଚି ଥିଲେ। ଏହା ପରେ କମ୍ପାନୀ ଆଉ ଶ୍ରମିକ ମାନଙ୍କୁ କାର୍ୟ୍ୟ କ୍ଷେତ୍ରରେ ନିଯୁକ୍ତି ନ ଦେଇ ଆଉ ପୁନଃ କାମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କମ୍ପାନୀ କହିଥିଲା । ତେବେ ଏହି ମ୍ୟାକନେଲ କମ୍ପାନୀର ସ୍ଥାନୀୟ ଅଧିକାରୀ ଲାଞ୍ଚ ନେଇ ଅନ୍ୟମାନଙ୍କୁ ନିଯୁକ୍ତି ଦେଉଥିବା ଛଟେଇ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହା ବାଦ କମ୍ପାନୀ ତରଫରୁ ଅଞ୍ଚଳ ଛାଡି ଚାଲି ଯିବାକୁ ବାରମ୍ବାର ଧମକ ମିଳୁଥିବା ସେମାନେ କହିଛନ୍ତି। ଅନେକ ଦିନ ଧରି କାମ ନପାଇ ଶ୍ରମିକ ମାନେ ନିଜର ହକ ପାଇଁ ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ କିଛି କାର୍ୟ୍ୟାନୁଷ୍ଠାନ ନ ନେବା ସେମାନଙ୍କୁ ଆହୁରି ଅସହାୟ କରିଦେଇଛି । ତେଣୁ କମ୍ପାନୀ ପକ୍ଷରୁ ତୁରନ୍ତ ଶ୍ରମିକ ମାନଙ୍କୁ କାର୍ୟ୍ୟ ରେ ନିଯୁକ୍ତି ଦେବାକୁ ଏ.ଆଇ.ଟି.ୟୁ.ସି ତୈଳ ବିଶୋଧନାଗାର ଶ୍ରମିକ ସଂଘ ସଭାପତି ସୁବାସ ମହାପାତ୍ର ଦାବି କରିଛନ୍ତି। ଯଦି ଏଥିପ୍ରତି ଦୃଷ୍ଟି ଦିଆ ନଯାଏ ତେବେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ସଂଘ ଚେତାବନୀ ଦେଇଛି।